ତଣ୍ଡାହରରେ ବାଲୁକା ଗୁଳ୍ମ ରୋପଣ ଓ ସୁରକ୍ଷା ନେଇ ଆଲୋଚନା ସଭା

ତଣ୍ଡାହରରେ ବାଲୁକା ଗୁଳ୍ମ ରୋପଣ ଓ ସୁରକ୍ଷା ନେଇ ଆଲୋଚନା ସଭା।

କୋଣାର୍କ ୨୩.୧୦ ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶିଶୁଅ ଗ୍ରାମ ପଞ୍ଚାୟତ ର ତଣ୍ଡାହର ଗ୍ରାମର ସମୁଦ୍ରକୂଳରେ ଏକ ଆଲୋଚନା ସଭା ଓ ବାଲୁକା ଗୁଳ୍ମ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମୁଦ୍ରକୂଳରେ ସାମୂହିକ ବାଲୁକା ଗୁଳ୍ମ ଚାରା ରୋପଣ ହୋଇଥିଲା, ଯେଉଁଥିରେ ଶତାଧିକ ସ୍ଥାନୀୟ ମହିଳା ସମୁଦାୟ, ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀମାନେ ଉତ୍ସାହିତ ଭାବେ ଅଂଶଗ୍ରହଣ କରିଥିଲେ ।

ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଦୈନିକ ସମ୍ବାଦପତ୍ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ତଥାଗତ ସତପଥି, ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ଆଦ୍ୟାଶା ସତପଥି, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ, ଗିଲେରିଓ ମୁଖ୍ୟ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ନଗର ସରପଞ୍ଚ ଶ୍ରୀଯୁକ୍ତ ବିଜୟ କୁମାର ଖଣ୍ଡୁଆଳ ଓ ସବୁଜ ଶାଖା ବରିଷ୍ଠ ସଭ୍ୟ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତୀ ସତପଥି କହିଲେ ଯେ, ମହିଳାମାନଙ୍କ ବିନା ଏହିପରି ଜଳବାୟୁ ମୁକାବିଲା ଉଦ୍ୟମ ସଫଳ ହୋଇପାରିବ ନାହିଁ। ସେ ମା’ମାନଙ୍କ ସହଭାଗିତା ଭିତ୍ତିରେ ଏହି ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ଆହ୍ବାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଶତପଥି ନିଜ ବକ୍ତବ୍ୟ ମାଧ୍ୟମରେ ଉପକୂଳ ସମୁଦାୟଙ୍କ ଏହି ପ୍ରୟାସକୁ ପ୍ରଶଂସା କରି ସରକାରଙ୍କ ଉପରେ ନିର୍ଭର ନ ହୋଇ ନିଜ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତ୍ୟେକ ବ୍ୟକ୍ତିବିଶେଷ ନିଜ ସ୍ତରରେ ଏହିପରି ଉଦ୍ୟମ ଆରମ୍ଭ କରିବାକୁ ଆହ୍ୱାନ ଜାରି କରିଥିଲେ। ଏଥିସହିତ ସେ ଅଞ୍ଚଳର ସମୁଦ୍ର ବନ୍ଧ ସୁଦୃଢ ପାଇଁ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିବା ସହିତ, ଏହି ପ୍ରୟାସକୁ ସାରା ଦେଶ ପାଇଁ ଏକ ମଡେଲ ଭାବେ ସଫଳ କରିବା ପାଇଁ ଗ୍ରାମବାସୀଙ୍କ ସହଭାଗିତା ଆବଶ୍ୟକ ବୋଲି ମୟ ଦେଇଥିଲେ ।

କାର୍ଯ୍ୟକ୍ରମ ଅବସରରେ ଜଙ୍ଗଲ ସୁରକ୍ଷା ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରାମର ବେଙ୍ଗଲତା ରାଉତ, ଛବିଲତା କାଳିଆ ଓ ରବି ଭୂୟାଁଙ୍କୁ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅନୁରୂପ ଭାବରେ ସଭାରେ ଅତିଥିମାନେ ବେଳାଭୁମି ସଂରକ୍ଷଣର ଆବଶ୍ୟକତା ଓ ସମୁଦାୟ ଭିତ୍ତିକ ଅଂଶଗ୍ରହଣ ଉପରେ ଜୋର ଦେଇଥିଲେ।

କାର୍ଯ୍ୟକ୍ରମକୁ ସ୍ଥାନୀୟ ପରିବେଶ କର୍ମୀ ବିଚି କାଳିଆ ପରିଚାଳନା କରିଥିବା ବେଳେ, ପରିବେଶ କର୍ମୀ ସୌମ୍ୟ ରଞ୍ଜନ ବିଶ୍ୱାଳ, ଜ୍ଞାନ ରଞ୍ଜନ ବିଶ୍ୱାଳ, ନିହାର ରଞ୍ଜନ ମହାରଣା, ପ୍ରଭାକର ବିଶ୍ୱାଳ, ବାବୁ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *