ବାଲୁଖଣ୍ଡ ଅଭୟାରଣ୍ୟରୁ ଝାଉଁ କାଠ ଚୋରାଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ

କୋଣାର୍କ- କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରୁ ବେଆଇନ୍ ଭାବେ ଗଛ କାଟି ଝାଉଁ କାଠ ଚୋରା ଚାଲାଣ କରୁଥିବା ବେଳେ ବାଲିଦୋକାନ ଛକ ନିକଟରେ ମାଡ଼ି ବସିଲା କୋଣାର୍କ ବନ ବିଭାଗ। ୬ କୁଇଣ୍ଟାଲ ଝାଉଁ କାଠ, ବ୍ୟବହୃତ ଟାଟା ଏସ ଗାଡି ଜବତ ସହ ଦୁଇ ଅଭିଯୁକ୍ତ ଗିରଫ କରିଛି ବନ ବିଭାଗ। ଗୁହାଳପୁର ବିଟ ଅଧୀନ ନୂଆଗାଁ ନିକଟ ଜଙ୍ଗଲରୁ ଗଛ କରି ଚୋରା ଚାଲାଣ ହେଉଥିଲା। ବନ ବିଭାଗ ଖବର ପାଇ ଚାଲାଣ ବେଳେ ପହଞ୍ଚି ଥିଲେ। ବାଲିଦୋକାନ ଛକ ନିକଟରେ ଗାଡ଼ିକୁ ମାଡ଼ି ବସିଥିଲେ ବନ କର୍ମଚାରୀ। ୨ ଜଣଙ୍କୁ ଗିରଫ କରିଥିଲେ। ଦୁଇ ଅଭିଯୁକ୍ତ ଯୁବକ ହେଉଛନ୍ତି ନୂଆଗାଁ ଗ୍ରାମର ପ୍ରତାପ ଚନ୍ଦ୍ର ମଲ୍ଲିକ ଓ ରାଉଳପାଟଣା ଗ୍ରାମର ବାବୁ କାଣ୍ଡି। କାଠ ଚାଲାଣରେ ବ୍ୟବହୃତ ଏକ ଟାଟା ଏସ ଗାଡି OD02BB9170 ଜବତ କରାଯାଇଛି।

ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ନିର୍ଦ୍ଦେଶରେ ଚଢାଉ ହୋଇଥିବା ଏହି ଘଟଣାରେ ଫରେଷ୍ଟର ସବିର ସାହୁ, ତପନ ନାୟକଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଅଞ୍ଚଳରେ କଅଁରପୁର, ନଡ଼ିଆ ମଠ, ମୂଶାପଦା, ଚିତ୍ରେଶ୍ଵରି , ଗୋଲରା, ଗୁହାଳପୁର, ନୂଆଗାଁ, ଗୋଧନପଡ଼ା, ଜମରା, କୁରୁଜଙ୍ଗ, ଭାଣପୁର, କୁଞ୍ଜ, ଚଂପାହାର ଆଦି ଗ୍ରାମ ନିକଟ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରୁ ଦୈନିକ ଶହ ଶହ ଗଛ କଟାଯାଇ ଚୋରା ଚାଲାଣ ହେଉଥିବା ସୂଚନା ମିଳୁଥିଲେ ମଧ୍ଯ ବନ କର୍ମଚାରୀ ମାନେ ସଠିକ୍ ଭାବେ କାର୍ଯ୍ୟ ସମ୍ପାଦନା କରୁ ନଥିବାରୁ ପରିବେଶ ପ୍ରେମୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *