ଭୁବନେଶ୍ୱରରେ ରୋଜଗାର ମେଳା ଅନୁଷ୍ଠିତ

302 ଜଣ ଯୁବକଯୁବତୀଙ୍କୁ ସରକାରୀ ଚାକିରି ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଭୁବନେଶ୍ୱର, 24 ଅକ୍ଟୋବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ 51ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ 302 ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଭାରତୀୟ ଡାକ ବିଭାଗ, ରେଳବାଇ, ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ରୀୟ ଜିଏସଟି, ସିଆରପିଏଫ ଭୁବନେଶ୍ୱର ଏମ୍ସ ଆଦି ବିଭାଗ ଓ ପ୍ରତିଷ୍ଠାନରେ ନିଯୁକ୍ତି ମିଳିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆଭାସୀ ପ୍ରସାରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ କହିଥିଲେ, ଏହି ମେଳାରେ ଓଡ଼ିଶାର ଅନେକ ଯୁବକଯୁବତୀ ନିଜର ସ୍ଵପ୍ନକୁ ସାକାର କରିବାର ସୁଯୋଗ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ଵରେ ଦେଶର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ପ୍ରଦାନ କରାଯାଉଛି । ରୋଜଗାର ସୃଷ୍ଟି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବବର୍ଗଙ୍କ ସଶକ୍ତିକରଣ ଓ ଦେଶର ଉନ୍ନତିର ମୂଳମନ୍ତ୍ର। ଏହି କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ପାଇଥିବା ଯୁବବର୍ଗଙ୍କ ଆଶା ଓ ଉତ୍ସାହ ଦେଖି କେନ୍ଦ୍ରମନ୍ତ୍ରୀ ପ୍ରଭାବିତ ହୋଇଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଆହୁରି କହିଥିଲେ, ମୋଦୀ ସରକାର ଯୁବ ଶକ୍ତିକୁ ଦେଶର ପ୍ରଗତିର ମେରୁଦଣ୍ଡ ଭାବରେ ଦେଖୁଛନ୍ତି ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି।

Leave a Reply

Your email address will not be published. Required fields are marked *