ରାମଚଣ୍ଡୀ ପୀଠରେ ପିକିନିକ ଫି ଓ ବେଆଇନ୍ ପାର୍କିଂ ଫି ଆଦାୟକୁ ନେଇ ଗୋଷ୍ଠୀ ଗଣ୍ଡଗୋଳ
ରାମଚଣ୍ଡୀ ପୀଠରେ ପିକିନିକ ଫି ଓ ବେଆଇନ୍ ପାର୍କିଂ ଫି ଆଦାୟକୁ ନେଇ ଗୋଷ୍ଠୀ ଗଣ୍ଡଗୋଳ । ଜଗସିଂହପୁର ଢିଅସାହି ଅଞ୍ଚଳରୁ ଆସିଥିବା ୧୯ ଜଣ ପର୍ଯ୍ୟଟକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ, ୨ଗୁରୁତର, ୫ ଆହତ।
କୋଣାର୍କ,୨୬.୧୦(ଜ୍ଞାନ ରଞ୍ଜନ ବିଶ୍ଵାଳ)- ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ବଣଭୋଜି ସ୍ଥଳ ଭାବେ ପରିଚିତ କୋଣାର୍କ ପୁରୀ ବେଳାମାର୍ଗରେ ଥିବା ମା ରାମଚଣ୍ଡୀଙ୍କ ପୀଠରେ ଜବରଦସ୍ତ ବେଆଇନ ପାର୍କିଂ ଫି ଓ ପିକିନିକ୍ ଫି ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ୨ ଜଣ ଗୁରୁତର ଓ ୫ ଆହତ ହୋଇଥିବା ସୂଚନା ମିଳିଛି। ସୁଚନା ଅନୁଯାୟୀ ଜଗସିଂହପୁର ବାଲିକୁଦା ଓ ଢିଅସାହି ଅଞ୍ଚଳରୁ ଆସିଥିବା ୧୯ ଜଣ ପର୍ଯ୍ୟଟକ କୋଣାର୍କ ବୁଲାବୁଲି ସାରି ମଧ୍ୟାହ୍ନରେ ମା ରାମଚଣ୍ଡୀ ପୀଠରେ ବଣଭୋଜି କରିଥିଲେ। ୩ଟି ଚାରି ଚକିଆ ଗାଡ଼ି ଆଣି ଆସିଥିବା ସହ ରୋଷେଇ କରୁଥିବାରୁ ସେଠାରେ ଚାନ୍ଦା ଆଦାୟ କରୁଥିବା ଯୁବକ ମାନେ ୭୦୦ ଟଙ୍କା ମାଗିଥିଲେ। ଯାହାକୁ ଅଗ୍ରାହ୍ୟ କରିଥିଲେ ରୋଷେଇ କରୁଥିବା ଯୁବକ ମାନେ। ମୁଣ୍ଡ ପିଛା ୧୦ ଟଙ୍କା ଦେବା ସହ ପାର୍କିଂ ବାବଦ ମିଶାଇ ୪୦୦ ଟଙ୍କା ଦେବାକୁ ରାଜି ଥିଲେ। କିନ୍ତୁ ୩ ଜଣ ଆଦୟକାରୀ ମାନେ ୭୦୦ ଟଙ୍କା ଜବରଦସ୍ତ ମାଗିଥିଲେ। ନଦେବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଆଦୟକାରୀ ଯୁବକ ମାନେ ସ୍ଥାନୀୟ ଗ୍ରାମର ୩୦ରୁ ଉର୍ଦ୍ଧ୍ବ ଯୁବକ ଓ ବ୍ୟକ୍ତି ମାନଙ୍କୁ ଡାକି ପାଇପ୍ ଓ କାଠ ରେ ଗୋଡେଇ ଗୋଡେଇ ପିଟିଥିଲେ। ଜଗସିଂହପୁର ଆସିଥିବା ଯୁବକ ମାନେ ଦୌଡ଼ି ପଳାଇଥିଲେ ମଧ୍ଯ ଛାଡ଼ି ନଥିଲେ। ତାଙ୍କର ରୋଷେଇ ଖାଦ୍ୟ ମଧ୍ୟ ନଷ୍ଟ ହୋଇଯାଇଥିଲା। ଆକ୍ରମଣରେ ୨ ଜଣ ଗୁରୁତର ଓ ୫ ଆହତ ହୋଇଥିଲେ। ସ୍ଥାନୀୟ ପୋଲିସ ଓ ଟୁରିଷ୍ଟ ପୋଲିସ୍ ପହଞ୍ଚି ମେଡ଼ିକାଲରେ ଚିକିତ୍ସା କରି ରେଫର୍ କରିଛନ୍ତି। ଏନେଇ ଚନ୍ଦ୍ରଭାଗା ମେରାଇନ ଥାନାରେ ଉଭୟ ପକ୍ଷରୁ ପୃଥକ୍ ଅଭିଯୋଗ ହୋଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି। ଉପରୋକ୍ତ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା ପ୍ରକାଶ ପାଇଛି। ପର୍ଯ୍ୟଟକ ମାନଙ୍କୁ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଦୃଢ଼ ପଦକ୍ଷେପ ନେଉଥିବା ବେଳେ ରାମଚଣ୍ଡୀ ପୀଠରେ ବେଆଇନ ପାର୍କିଂ ଓ ପିକିନିକ୍ ଫି ଆଦାୟ ନେଇ ବାରମ୍ଵାର ପର୍ଯ୍ୟଟକଙ୍କୁ ଆକ୍ରମଣ ହେଉଛି। ସ୍ୱତନ୍ତ୍ର ପୋଲିସ୍ ମୁତୟନ କରି ପର୍ଯ୍ୟଟକଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।
