ଉଚ୍ଚା ତଥା ପ୍ରଶସ୍ତ ଗଳି ପୋଲ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ।

ଧର୍ମଶାଳା– ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ବୀପ ୫୩ନଂ ଜାତୀୟ ରାଜପଥ ଗାନ୍ଧୀ ଛକ ନିକଟରେ ଅଂଚଳବାସୀଙ୍କ ଧାରଣା। ଚଣ୍ଡିଖୋଲ ଠାରୁ ପାରାଦ୍ବୀପ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଗାନ୍ଧୀ ଛକ ନିକଟରେ ଏକ ଛୋଟ ଗଳି ପୋଲ ନିର୍ମାଣ କରାଯାଉଛି। ଯାହାକୁ ବିରୋଧ କରିଛନ୍ତି ଅଂଚଳବାସୀ। ଆଜି ୧୫ଟି ପଂଚାୟତର ନେତୃମଣ୍ଡଳି ଏହି ଗଣଧାରଣା ସାମିଲ ହୋଇଥିଲେ।ଏହି ଗଳି ପୋଲ ଉଚ୍ଚା ନହେଲେ ଏହି ୧୫ ପଂଚାୟତର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେବେ। ଏନେଇ ଅଞ୍ଚଳବାସୀଙ୍କ ତରଫରୁ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ କ୍ଷେତ୍ରପାଳ, କଣ୍ଟିଗଡ଼ିଆ, ସୁଙ୍ଗୁଡା, ଶାନ୍ତିପୁର, ନେଉଳପୁର, ଅରେଇକଣା ଆଦି ବିଭିନ୍ନ ପଞ୍ଚାୟତର ବାସିନ୍ଦା ଜାତୀୟ ରାଜପଥ ଅବରୋଧ କରିବା ସହ ଧାରଣାରେ ବସିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକ ରହିଥିଲା। ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ପୋଲିସ ପ୍ରଶାସନ ଓ ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ୩୦ଦିନ ଭିତରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *