କାର୍ତ୍ତିକ ଆସିଛି ଧରମ ଧରି

            କାର୍ତ୍ତିକ ଆସିଛି ଧରମ ଧରି
              ( ରାଗ — ରାମକେରୀ )

   🖊️କବିରତ୍ନ ନୂତନ କୁମାର ବେହେରା

କାର୍ତ୍ତିକ ଆସିଛି’ ଧରମ ଧରି’,
           ଶୁଦ୍ଧ ପ୍ରାଣେ ଦିଏ,ବିଶ୍ଵାସ ଭରି’।
ପବିତ୍ର କାର୍ତ୍ତିକେ ପୁଣ୍ୟ ପଞ୍ଚୁକ,
           ପାଳିଲେ ବରତ ଘୁଞ୍ଚେ ପାତକ।
ନିଷ୍ଠାର ସହିତେ ସର୍ବେ ପାଳନ୍ତି,
           ନିରାମିଷ ଖାଦ୍ୟ ହବିଷ୍ୟ ଖା’ନ୍ତି।
ଏକାଗ୍ର ଚିତ୍ତରେ ସଂକଳ୍ପ କରି,
                ଶୁଭ ମନାସନ୍ତି ବିଭୁଙ୍କୁ ସ୍ମରି।
ବିଶେଷ ଭାବରେ ପାଳନ୍ତି ନାରୀ,
               ସବୁରି ମଙ୍ଗଳ ଯାଚନା କରି।
ପ୍ରଭାତରୁ ଉଠି କରନ୍ତି ସ୍ନାନ,
        ଦେବାଦେବୀ ପାଦେ ରଖନ୍ତି ଧ୍ୟାନ।
ଚଉରା ନିକଟେ ଆଙ୍କି ମୁରୁଜ,
              ସୁନ୍ଦର ଝୋଟିର କରନ୍ତି ସଜ।
ବାଉଁଶ ଅଗରେ ଆକାଶ ଦୀପ,
             ଜାଳି ଦୂର କରି ଥାଆନ୍ତି ପାପ।
କାର୍ତ୍ତିକର ଶୁକ୍ଳ ପାଞ୍ଚଟି ଦିନ,
              ଏ ପୁଣ୍ୟ ପଞ୍ଚକ ହୁଏ ପାଳନ।
ଏକାଦଶୀଠାରୁ ପୂର୍ଣ୍ଣିମା ଯାଏଁ,
                 ପାଳନ୍ତି ପଞ୍ଚକ ବ୍ରତ ସଭିଏଁ।
ପୁଣ୍ୟ ପଞ୍ଚୁକ ଯେ ବିଭିନ୍ନ ନାମେ,
             ଶାସ୍ତ୍ରରେ ରହିଛି ବିଧି ନିୟମେ।
ସେ ବକ ପଞ୍ଚୁକ,ବିଷ୍ଣୁ ପଞ୍ଚୁକ,
          ଭୀଷ୍ମ ପଞ୍ଚୁକ,ନାମରେ ଯେତେକ।
ପାଞ୍ଚଦିନ ବଗ ପାଳଇ ବ୍ରତ,
           ଖାଏନି ଆଇଁଷ ରହେ ଧ୍ୟାନରତ।
କାର୍ତ୍ତିକ ଅଟଇ ଧରମ ମାସ,
              ସ୍ବଚ୍ଛ ନିରିମଳ ଯେ ପରିବେଶ।
ଫୁଲରେ ଫଳରେ ହସେ ପ୍ରକୃତି,
               ବିଲ ବଣ ଦିଶେ ସୁନ୍ଦର ଅତି।
ଓଡ଼ିଆ ଜାତିର ଗର୍ବ ଗୌରବ,
            ବିଶ୍ଵରେ ପ୍ରଚାରେ ତାର ସଦ୍ଭାବ।
ଜଗତର ନାଥ ଶ୍ରୀଜଗନ୍ନାଥ,
           ଶ୍ରୀକ୍ଷେତ୍ରେ ରହିଣ ଦେଖାନ୍ତି ପଥ।
ପଞ୍ଚୁକରେ ହୋଇ ପାଞ୍ଚଟି ବେଶ,
              ସଂସାରରୁ ଦୁଃଖ କରନ୍ତି ନାଶ।                
ସ୍ମରଣ କରିଣ ସେ ପରମ୍ପରା,
              ବୋଇତ ବନ୍ଦାଣ ହୁଅଇ ପରା।
ବାଣିଜ୍ୟେ ସାଧବ ବିଦେଶ ଯାଇ,
         ଫେରୁଥିଲେ ଧନ ଦୌଲତ ନେଇ।
ସେ ସ୍ମୃତିରେ ପାନ ଗୁଆକୁ ଥୋଇ,
         ଦୀପ ଜାଳି ଦେଉ ନୌକା ଭସାଇ।
ଆ କା ମା ବୈ ଗୀତ ହରଷେ ଗାଇ,
           ପୁଞ୍ଚୁକ ପାଳୁ ଯେ ଆନନ୍ଦ ହୋଇ।
କାର୍ତ୍ତିକ ଆସିଛି ଧରମ ଧରି,
                ମନ ଶୁଦ୍ଧ ହୁଏ ଏ ବ୍ରତ କରି।
ମହାନ ସଂସ୍କୃତି ଜାତିର ମାନ,
              ସୁଖ ଶାନ୍ତି ପାଇଁ ଦିଏ ଆହ୍ଵାନ।
କାର୍ତ୍ତିକର କୀର୍ତ୍ତି କରଇ ଧନ୍ୟ,
           ଆତ୍ମ ସଂସ୍କାରଣେ ମିଳଇ ପୁଣ୍ୟ।
           
             ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
                  ନବସୃଜନ ଇ-ପତ୍ରିକା
            କୋହି,ବାରିପଦା,ମୟୂରଭଞ୍ଜ,
          

Leave a Reply

Your email address will not be published. Required fields are marked *