ପଞ୍ଚୁକ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ୩୦/୧୦ ପଞ୍ଚୁକ ରେ କେବଳ ସିଂହଦ୍ବାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ ବୋଲି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସୂଚନା ଦେଇଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଆଗାମୀ ପଞ୍ଚୁକ ବ୍ରତ ପାଳନ ସମୟରେ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଶ୍ରୀ ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ କାର୍ତ୍ତିକ ଏକ ଧର୍ମ ମାସ ହୋଇ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଏମିତି ଲୋକ ମାନଙ୍କ ର ଗହଳି ହୋଇ ଥାଏ।ତେବେ ପଞ୍ଚୁକ ସମୟରେ ହବିଷ୍ୟାଳୀ ମା ମାନଙ୍କ ସହ ଅନ୍ୟାନ୍ୟ ଭକ୍ତ, ଶ୍ରଦ୍ଧାଳୁ ଙ୍କ ପାଇଁ ଅତ୍ୟଧିକ ଭିଡ ହେବାର ଆଶା କରାଯାଉଛି।ତେଣୁ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ଗମନାଗମନ, ଟ୍ରାଫିକ ନିୟନ୍ତ୍ରଣ, ସ୍ବଛତା ଇତ୍ୟାଦି ଅତ୍ୟାବଶ୍ୟକୀୟ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ।ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇ ଥିବାରୁ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା କରାଯିବ।ଅଗ୍ନି ଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ ପ୍ରସ୍ତୁତ ରହିବା ସହ ନିର୍ଦ୍ଦାରିତ ସ୍ଥାନରେ ଲଗା ଯାଉଥିବା ଦୀପ ଗୁଡିକ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଓ ପୁଷ୍କରିଣୀ ଏବଂ ସମୁଦ୍ର ନିକଟରେ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ନୀତି କାନ୍ତି ସଠିକ ସମୟରେ ପରିଚାଳନା ପାଇଁ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନ କୁ ପରାମର୍ଶ ଦେଇଥିଲେ।ଯାହା ଫଳରେ ଦର୍ଶନ ଯଥା ଶୀଘ୍ର ତ୍ବରାନ୍ବିତ ହୋଇ ପାରିବ।

ସେହିପରି ପାନୀୟ ଜଳ ଓ ଶୌଚାଳୟ ପାଇଁ ୱ୍ବାଟକୋ, ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ସିଡିଏମଓ,ସ୍ବଛତା, ପରିଷ୍କାର ପରିଛନ୍ନତା ଓ ଶୌଚାଳୟ ପାଇଁ ପୁରୀ ପୌରପାଳିକା, ଶ୍ରଦ୍ଧାଳୁ ଙ୍କୁ ବିବିଧ ସୂଚନା ପ୍ରଦାନ ପାଇଁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ବିଭାଗ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲ,ପାର୍କିଂ ସ୍ଥଳ ଓ ଯାନବାହନ ନିୟନ୍ତ୍ରଣ ପାଇଁ ଆରଟିଓ,ବ୍ୟାରିକେଡ ନିର୍ମାଣ, ଆବଶ୍ୟକ ଅନୁସାରେ ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ର ସଫଳ ଆୟୋଜନ ପାଇଁ ସଂସ୍କୃତି କାର୍ଯ୍ୟାଳୟ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହା ଏକ ସାମୁହିକ କାର୍ଯ୍ୟକ୍ରମ।ଏହାକୁ ସମ୍ମିଳିତ ସହଯୋଗ ରେ ସଫଳ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡ. ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ଡିଆଇବିର ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ,ସହକାରୀ ନିତୀ ପ୍ରଶାସକ ରଞ୍ଜନ କୁମାର ବେହେରା,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁସ୍ରବ ଗନ୍ତାୟତ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *