ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ତିର୍ତ୍ତୋଲ: ଭିନ୍ନକ୍ଷମ ମାନଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଉଛି | ନିଜ ଅଞ୍ଚଳରେ ସୁବିଧାରେ ଭିନ୍ନକ୍ଷମ ମାନେ ଡାକ୍ତରୀ ପରୀକ୍ଷା କରାଇ ପାରିବେ, ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ବ୍ୟୟବରାଦ ମଧ୍ୟ ହେଉଛି | ତଥାପି ଅନେକ କ୍ଷେତ୍ରରେ ଭିନ୍ନକ୍ଷମ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି | ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ପକ୍ଷରୁ ମଣି ଚରଣ ଶାରଳା ଏକାଡେମୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି | ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ | ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଭିନ୍ନକ୍ଷମ ମାନଙ୍କ ଗୁହାରି ଶୁଣିବା ସହିତ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ କି ଏହି ଶିବିରରୁ ଜଣେ ବି ନିରାଶ ହୋଇ ନଫେରନ୍ତୁ | ପରିତାପର ବିଷୟ ଭିନ୍ନକ୍ଷମ ମାନଙ୍କ ପାଇଁ ଷ୍ଟ୍ରେଚର ଖଣ୍ଡେ ନଥିବା ବେଳେ ଆସୁଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା | ଷ୍ଟ୍ରେଚର ନଥିବାରୁ ଜଣେ ପକ୍ଷାଘାତରେ ଆକ୍ରାନ୍ତ ରୋଗୀ ଶିବିର କୁ ଆସିଥିବା ବେଳେ ତାଙ୍କୁ ଡାକ୍ତରଙ୍କ ପାଖକୁ ଚାରିଜଣ ଏନସିସି ଛାତ୍ର ଅଟୋ ରୁ ବୋହିକି ନେବା ବେଳେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା | ଆଶ୍ଚର୍ଯ୍ୟ ର ବିଷୟ ଆଶୁଚିକିତ୍ସା ଦୂରର କଥା ରୋଗୀ କୁ ଦେଖିବା ପାଇଁ କେହି ଜଣେ ବି ମେଡିକାଲ କର୍ମଚାରୀ ନଥିଲେ |

ଏହି ଘଟଣା ବିଷୟରେ ଉପସ୍ଥିତ କିଛି ସାମ୍ବାଦିକ ମାନେ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ଃ. ଶୁଭଜ୍ୟୋତି ମହାନ୍ତି ଙ୍କୁ ଅବଗତ କରାଇଥିଲେ | ଡ଼ଃ. ମହାନ୍ତି ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଷ୍ଟାଫ ଡକାଇବା ବିଳମ୍ଭ ହେବାରୁ ଆହତ ଭିନ୍ନକ୍ଷମ ଶିବିରରୁ ବାହାରକୁ ଚାଲିଯାଇଥିଲେ, ଏହା କଣ ଭିନ୍ନକ୍ଷମ ମାନଙ୍କୁ ଉପହାସ ନୁହେଁ କି? | ଘଟଣା ଏତିକିରେ ସୀମିତ ରହିନଥିଲା ଉଭୟ ବ୍ଲକ ପ୍ରଶାସନ ଏବଂ ମେଡିକାଲ ଅଧିକାରୀ ନିଜ ନିଜ ଦୋଷ ଘୋଡାଇବାରେ ବ୍ୟସ୍ତ ହୋଇପଡ଼ିଥିଲେ | ଯାହାକୁ ନେଇ ବିଧାୟକ ନିଜର ଅସନ୍ତୋଷ ଜାହିର କରିଥିଲେ | ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଙ୍କ ସହିତ ତିର୍ତ୍ତୋଲ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଏବିଡ଼ିଓ ସତ୍ୟଜିତ ସ୍ୱାଇଁ, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର,ଇବ୍ରିସିଂ ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ହୋଇଥିଲେ | ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ବିଏସଏସଓ କାଜଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଶିବିରରେ ମୋଟ ୨୭୨ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିଲେ। କଟକ ଏସସିବି ସମେତ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ୧୦ ଜଣ ଡାକ୍ତର ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିଥିଲେ। ବ୍ଲକ ର ସମସ୍ତ ବିଭାଗର କର୍ମଚାରୀ କାର୍ଯ୍ୟକ୍ରମ କୁ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ | ମଣି ଚରଣ ଶାରଳା ଏକାଡେମୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଏନ.ସି.ସି ଛାତ୍ର ଛାତ୍ରୀଙ୍କ ସୁନ୍ଦର ପରିଚାଳନା କୁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ ଜନସାଧାରଣ ଭୂଷିୟ ପ୍ରଶଂସା କରିଥିଲେ ।
