ନିକଟବର୍ତ୍ତୀ କପିଳେଶ୍ୱରପୁର ଗ୍ରାମର ପୂର୍ବ ଗାଁ ମଠକାଙ୍କୁଡା ଠାରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀଙ୍କ ଆୟୋଜନ

ପୁରୀ:୩/୧୧: ପୁରୀ ନିକଟବର୍ତ୍ତୀ କପିଳେଶ୍ୱରପୁର ଗ୍ରାମର ପୂର୍ବ ଗାଁ ମଠକାଙ୍କୁଡା ଠାରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀଙ୍କ ଆୟୋଜନ କ୍ରମେ “ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପରିପ୍ରଚାର ଦିଗରେ ପଞ୍ଚସଖାଯୁଗୀୟ/ମଧ୍ୟଯୁଗୀୟ କବିଙ୍କ ଭୂମିକା” ଶୀର୍ଷକ ଏକଦିବସୀୟ ଆଲୋଚନାଚକ୍ର ଶ୍ରୀଯୁକ୍ତ ବାଳକୃଷ୍ଣ ରାଉତ, ଅତିବଡୀ ଜଗନ୍ନାଥ ଦାସଙ୍କ ପାଦୁକା ପୀଠ, ମଠକାଙ୍କୁଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସହ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ଛୁଆଳସିଂହ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହ ଆଲୋଚନାଚକ୍ରର ଆଭିମୁଖ୍ୟ ଜଣାଇଥିଲେ। ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଅତିଥି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ପୂର୍ବତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେ଼ମୀ, ବରେଣ୍ୟ ଅତିଥି ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ, ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ, ମୁଖ୍ୟବକ୍ତା ଡକ୍ଟର ବାଉରୀବନ୍ଧୁ ସାହୁ, ବିଶିଷ୍ଟ ସାହିତ୍ୟିକ, ସମ୍ମାନନୀୟ ବକ୍ତା ଡକ୍ଟର ପ୍ରମୋଦ ଦ୍ବିବେଦୀ, ପ୍ରାକ୍ତନ ଅଧ୍ୟକ୍ଷ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଏବଂ ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ, ସଂପାଦକ – ପ୍ରିୟପତ୍ର ଯୋଗଦେଇ ମହାପୁରୁଷ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭୂମିକା ସହିତ ପଞ୍ଚସଖା ଏବଂ ମଧ୍ୟଯୁଗୀୟ ସାହିତ୍ୟ କିଭଳି ଭାବରେ ଉତ୍କଳର

ଭାଷା, ସାହିତ୍ୟ ଓ ସଂସ୍କୃତିର ପରିପ୍ରଚାର ଦିଗରେ ଭୂମିକା ନିର୍ବାହ କରିଆସିଛନ୍ତି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ମହାପୁରୁଷ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ କପିଳେଶ୍ୱରପୁର ଯାଇ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପୁରୁଷ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପାଦୁକା ମଞ୍ଚକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଆଲୋଚନାଚକ୍ରରେ ଆଖପାଖ ଗାଁ ଏବଂ ମଠକାଙ୍କୁଡାର ସମସ୍ତ ଅଧିବାସୀ ଯୋଗଦେଇ ଆନନ୍ଦ ଅନୁଭବ କରିବା ସହିତ ଭାଗବତ ପାନ କରିଥିଲେ। ଯୁବକ ସଂଘର ସଦସ୍ୟମାନେ ଏହି ସଭା ପରିଚାଳନାରେ ସହାୟତା ଯୋଗାଇ ଥିଲେ।

Leave a Reply

Your email address will not be published. Required fields are marked *