ଏ.ବି.ପି.ଏମ୍.ଜେ.ଏ.ୱାଇ – ଜି.ଜେ.ଏ.ୱାଇ କ୍ଷମତା ସମ୍ପନ୍ନ କମିଟି ବୈଠକରେ ନୂତନ ପଦକ୍ଷେପ ଅନୁମୋଦିତ

ଭୁବନେଶ୍ୱର, ୨ ଡିସେମ୍ବର ୨୦୨୫ ରାଜ୍ୟର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀମାନଙ୍କ ପାଇଁ ଅବିରତ, ନିର୍ବିଘ୍ନ ଓ ନିଶୁଳ୍କ ଚିକିତ୍ସା ସୁବିଧା ବଜାୟ ରଖିବା ନିମନ୍ତେ ଯୋଜନାର କ୍ଷମତା ସମ୍ପନ୍ନ କମିଟି ନୂଆ ରୋଗୀ – କୈନ୍ଦ୍ରିକ ପଦକ୍ଷେପ ଅନୁମୋଦନ କରିଛନ୍ତି । ଆଜି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଏହି ପ୍ରସ୍ତାବ ଗୁଡିକ ଆଲୋଚିତ ହୋଇଥିଲା । ବୈଠକରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ୍. ଆଲୋଚନା ନିମନ୍ତେ ପ୍ରସଙ୍ଗମାନ ଉପସ୍ଥାପନ କରିଥିଲେ ଏବଂ ରାଜ୍ୟ ଭରସା ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ବୃନ୍ଦା ଡି କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ସଦ୍ୟତନ ପ୍ରଦାନ କରିଥିଲେ । ଯୋଜନାର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ସଚିବ ଶ୍ରୀ ଆହୁଜା ତାଲିକାଭୁକ୍ତ ହସ୍ପିଟାଲ ମାନଙ୍କ ଦ୍ଵାରା ସନ୍ଦେହ ଜନକ ଚିକିତ୍ସା ବାବଦ ବିଲ ଦାଖଲ, ବୁଝାମଣା ପତ୍ର ସର୍ତ୍ତର ଉଲଂଘନ ଓ ଅନିୟମିତ କାର୍ଯ୍ୟ ବିରୁଦ୍ଧରେ କଠୋର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ପାଇଁ ଆୟୁଷ୍ମାନ ଯୋଜନାରେ ଅଙ୍କୋଲୋଜି, ହେମାଟୋଲୋଜି, ଚକ୍ଷୁ ଚିକିତ୍ସା ଆଦି ବିଭାଗର ୭୩ ଟି ନୂଆ ଚିକିତ୍ସା ପ୍ୟାକେଜ ଯୋଗ କରାଯିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ଏହା ସହ ରାଜ୍ୟ ପାଇଁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ପ୍ୟାକେଜ ସଂଖ୍ୟା ୨,୧୬୩ କୁ ବୃଦ୍ଧି ପାଇବ । ମେଡିକାଲ ବିଶେଷଜ୍ଞ କମିଟିମାନଙ୍କ ଦ୍ଵାରା ଅଙ୍କୋଲୋଜି ବିଭାଗ ପାଇଁ ସୁପାରିଶ କରାଯାଇଥିବା ୧୨୧ ଟି ନୂଆ ଚିକିତ୍ସା ପ୍ୟାକେଜ, ସହ ୫୫ ଟି ପ୍ୟାକେଜର ଚିକିତ୍ସା ଦାମ ବୃଦ୍ଧି ବିଷୟ ମଧ୍ୟ ଆଲୋଚନା ହୋଇଥିଲା ।

ସରକାରୀ ହସ୍ପିଟାଲମାନଙ୍କରେ ପର୍ଯ୍ୟାୟକ୍ରମେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା, ସ୍ଵାସ୍ଥ୍ୟ ମିତ୍ର ମାନଙ୍କୁ ପ୍ରଧାନମନ୍ତ୍ରୀ ଆରୋଗ୍ୟ ମିତ୍ର ଭାବେ ନାମିତ କରିବା, ନୂଆ ସଫ୍ଟଓୟାରକୁ ତଥ୍ୟ ସ୍ଥାନାନ୍ତର ପ୍ରକ୍ରିୟା କାଳରେ ହିତାଧିକାରୀ ପରିବାରର ୬ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ଚିକିତ୍ସା ବାବଦ ବିଲ ପୈଠ ଆଦି ବିଷୟରେ ମଧ୍ୟ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଯୋଜନା ଅନ୍ତର୍ଭୁକ୍ତ ବ୍ୟକ୍ତି ମାନଙ୍କର ନିର୍ଭିଘ୍ନ ଗୁଣାତ୍ମକ ସ୍ଵାସ୍ଥ୍ୟସେବାକୁ ନିଶ୍ଚିତ କରାଇବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପମାନ ନେବା ପାଇଁ ବୈଠକରେ ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ ।ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ବୈଦ୍ୟୁତିକ ଓ ବୈଷୟିକ ଜ୍ଞାନ କୌଶଳ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ପଠାଣି ରାଉତମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *