ପୁସ୍ତକ ମହୋତ୍ସବରେ ଆକର୍ଷଣର କେନ୍ଦ୍ର ପାଲିଟିଛି ଥିମ୍ ପାଭିଲିୟନ

ପୁସ୍ତକ ମହୋତ୍ସବରେ ଆକର୍ଷଣର କେନ୍ଦ୍ର ପାଲିଟିଛି ଥିମ୍ ପାଭିଲିୟନ ଭୁବନେଶ୍ୱର ୮ ଡିସେମ୍ବର, ୨୦୨୫ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆରମ୍ଭ ହୋଇଯାଛି ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୫। ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଦିବା ୨ ଘଟିକାରୁ ରାତ୍ର ୯ ଘଟିକା ଏବଂ ଶନିବାର ଓ ରବିବାର ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଆୟୋଜିତ ହେଉଛି ପୁସ୍ତକ ମହୋତ୍ସବ। ଚଳିତ ବର୍ଷର ପୁସ୍ତକ ମହୋତ୍ସବରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସାରସ୍ୱତ ସାହିତ୍ୟ ସ୍ରଷ୍ଟାଙ୍କୁ କୃତିକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିସହ ପୁସ୍ତକ ମହୋତ୍ସବର ଟ୍ୟାଗଲାଇନ୍‌ ରହିଛି “ପୃଷ୍ଠା ଖୋଲନ୍ତୁ, ସ୍ବପ୍ନକୁ ଜାଗ୍ରତ କରନ୍ତୁ”।ଚଳିତ ଥରର ପୁସ୍ତକ ମହୋତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦୁଇଟି ଥିମ୍ ପାଭିଲିୟନ ନିର୍ମାଣ କରାଯାଇଛି ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡ଼ିଶାର ବିଶିଷ୍ଟ ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ପାଭିଲିୟନରେ କୁନ୍ତଳା କୁମାରୀ ସାବତ, ସରଳା ଦେବୀ, କିଶୋରୀମଣି ଦେବୀ, ଅନ୍ନପୂର୍ଣ୍ଣା ମହାରଣା, ଶୈଳବାଳା ଦାସ, ରମାଦେବୀ, ଜମ୍ବୁବତୀ ପଟ୍ଟନାୟକ, ପରୀବେୱା, କୃଷ୍ଣା ମହାନ୍ତି, ମାଳତୀ ଚୌଧୁରୀ, ସୁଧାଂଶୁ ବାଳା ହାଜରା, ନିର୍ମଳା ଦେବୀ, ପାର୍ବତୀ ଦେବୀଙ୍କ ଫଟୋଚିତ୍ରକୁ ସ୍ଥାନିତ କରାଯାଇଛି। ଏଥିସହ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କରେ ସମ୍ୟକ ବିବରଣୀ ପ୍ରଦାନ କରାଯାଇଛି।

ସେହିପରି ଭାବରେ ଭାରତର ଲୌହମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ (ସର୍ଦ୍ଦାର @୧୫୦) ପାଳନ ଅବସରରେ ତାଙ୍କ ଜୀବନୀକୁ ନେଇ ଏକ ଥିମ୍ ପାଭିଲିୟନ ପ୍ରସ୍ତୁତ କରାଯାଇଛି। ଏହି ପାଭିଲିୟନରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପିତ କରାଯିବା ସହ ତାଙ୍କ ଜୀବନୀ ଓ ଅଖଣ୍ଡ ଭାରତର ମୂଳଦୁଆ ସ୍ଥାପନ ଓ ଦେଶୀୟ ରାଜ୍ୟ ମିଶ୍ରଣରେ ତାଙ୍କର ଭୂମିକାକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି।ସମସ୍ତ ଚିତ୍ରକଳା ମଧ୍ୟରେ ଗୁଜରାଟରେ ରହିଥିବା ଷ୍ଟାଚ୍ୟୁ ଅଫ ୟୁନିଟିର ଚିତ୍ରକଳା ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିଛି।ଦୁଇଟି ଥିମ୍ ପାଭିଲିୟନରେ ଦର୍ଶକମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳୁଛି। ଓଡ଼ିଶାର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ ଓ ସାରସ୍ୱତ ସାଧକମାନେ ହେଲେ ଚିର ନମସ୍ୟ। ସ୍ୱାଧୀନତା ସଂଗ୍ରାମୀ ଓ ସାରସ୍ୱତ ସାଧକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଯୁବପିଢ଼ିଙ୍କୁ ଆମ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜୀବନୀ ଓ ଭୂମିକା ସମ୍ପର୍କରେ ଅବଗତ କରିବାର ସଂସ୍କୃତି ବିଭାଗର ଏହି ଅଭିନବ ପ୍ରୟାସ ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀ ଓ ପାଠକ ମହଲରେ ମତପ୍ରକାଶିତ ହୋଇଛି।ଆଜି ପୁସ୍ତକ ମହୋତ୍ସବର ତୃତୀୟ ଦିନରେ କବି ରମାକାନ୍ତ ରଥ ମଞ୍ଚରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଓ ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ଆଲୋଚନା ଚକ୍ର ଓ କବିତା ପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଲୋଚନା ଚକ୍ରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଶ୍ରୀମତୀ ଭାରତୀ ପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀମତୀ ଶକୁନ୍ତଳା ବଳିଆର ସିଂଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅତିଥିମାନେ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ଏଥିସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରି ମହିଳା ସ୍ୱାଧୀନତା ସଂଗ୍ରାମୀମାନେ କିପରି ଭାବେ ନିଜ ଜୀବନକୁ ଦେଶର ସ୍ୱାଧୀନତା ପାଇଁ ଉତ୍ସର୍ଗୀକୃତ କରିଥିଲେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।ପ୍ରକାଶଯୋଗ୍ୟ ଯେ, ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ମୁଖ୍ୟ ପ୍ରବେଶ ଦ୍ୱାରକୁ ମା’ ରମାଦେବୀ ପ୍ରବେଶ ପଥ, ଭିତର ପ୍ରବେଶ ଦ୍ୱାରକୁ ସନ୍ଥକବି ଭୀମଭୋଇ ପ୍ରବେଶ ପଥ, ମୁଖ୍ୟ ମଞ୍ଚକୁ କବି ରମାକାନ୍ତ ରଥ ମଞ୍ଚ ଓ ଭିତର ମଞ୍ଚକୁ ଶହୀଦ ବାଜି ରାଉତ ମଞ୍ଚ ନାମରେ ନାମିତ କରାଯାଇଛି। ଏଥିସହ ପୁସ୍ତକ ମହୋତ୍ସବର ପ୍ରବେଶ ପଥ ପାଖରେ “ଓଡ଼ିଆ ଅସ୍ମିତାର ପ୍ରତୀକ, ଓଡ଼ିଆ ଜାତିର ଗର୍ବ ଓ ଗୌରବ” ଶୀର୍ଷକରେ ବିଶିଷ୍ଟ ସାହିତ୍ୟିକମାନଙ୍କର କାଳଜୟୀ ଉପନ୍ୟାସର ଫଟୋଚିତ୍ରକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *