ପୁରାତନ ରୋଗ ନିୟନ୍ତ୍ରଣ ରେ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ପାରଂପରିକ ଔଷଧ
ପୁରାତନ ରୋଗ ନିୟନ୍ତ୍ରଣ ରେ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ପାରଂପରିକ ଔଷଧ -ହୋମିଓପାଥି, ଭାରତବର୍ଷ ର ସ୍ବାସ୍ଥ୍ୟ କଲ୍ୟାଣ ରେ ସହାୟକ ରହିଛି ଓ ରହିବ ବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପୁରୀ ର ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ। ଆସନ୍ତା ଡ଼ିସେମ୍ବର ୧୭ ରୁ ୧୯ରେ ନୁଆଦିଲ୍ଲୀ ଠାରେ ହେବାକୁ ଯାଉଥିବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ହୁ) ଆୟୋଜିତ ଦ୍ବିତୀୟ ଶିଖର ସମ୍ମିଳନୀ ଉପଲକ୍ଷେ ପୁରୀ ଗୋପାଳବଲ୍ଲଭ ରୋଡ଼ ସ୍ଥିତ ଆଞ୍ଚଳିକ ହୋମିଓପାଥି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ଆୟୋଜିତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସେଠୀ, ପୁରାତନ ରୋଗ ନିୟନ୍ତ୍ରଣ ରେ ହୋମିଓପାଥି ଔଷଧ ଓ ଗବେଷଣାତ୍ମକ ଚିକିତ୍ସା ର ପ୍ରୟୋଗ ରେ ମାନବ ଜାତିର ସ୍ବାସ୍ଥ୍ୟ,ଖୁସି ଓ କଲ୍ୟାଣ ଏକ ମାଇଲଖୁଣ୍ଟ ହେବବୋଲି ଆଶା ପୋଷଣ କରିଥିଲେ। ଭୁବନେଶ୍ୱର ହୋମିଓପାଥି ଗବେଷଣା ପ୍ରତିଷ୍ଠାନ ର ପ୍ରଭାରୀ ଅଧିକାରୀ ଡାକ୍ତର ଉମାକାନ୍ତ ପୃଷ୍ଟି ଓ ପୁରୀ ସଂସ୍ଥାନ ର ଗବେଷଣା ଅଧିକାରୀ ଡାକ୍ତର ଅକ୍ଷୟ କୁମାର ପୃଷ୍ଟିଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୁଷ – ହୋମିଓପାଥି ର ଏଥିକାଲ କମିଟି ସଦସ୍ୟ ଡକ୍ଟର ବଦ୍ରି ମିଶ୍ର କହିଥିଲେ ଯେ ହୋମିଓପାଥି , ଆୟୁର୍ବେଦ ଓ ଯୋଗ ର ଉପଯୋଗ ରେ ଏକ ସୁସ୍ଥ ଭାରତ ଗଠନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ମାନସ ସନ୍ତାନ ଆୟୁଷ,୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ସ୍ବତନ୍ତ୍ର ବିଭାଗ ହୋଇ, ଚିକିତ୍ସା କ୍ଷେତ୍ରରେ ବିଶ୍ଵରେ ଭାରତବର୍ଷ ର ପରିଚୟ ସୃଷ୍ଟି କରିପାରିଛି।”ସନ୍ତୁଳନ ପୁନରୁଦ୍ଧାର: ସ୍ବାସ୍ଥ୍ୟ ଏବଂ କଲ୍ୟାଣ ର ବିଜ୍ଞାନ ଓ ବିକାଶ”ଶୀର୍ଷକ ବିଷୟବସ୍ତୁରେ ଡିସେମ୍ବର ରେ ନୁଆଦିଲ୍ଲୀ ଶିଖର ସମ୍ମିଳନୀ,ବିଶ୍ବକୁ “ସର୍ବେ ଭବନ୍ତୁ ସୁଖିନଃ- ସର୍ଭେ ସନ୍ତୁ ନିରାମୟା” ର ବାର୍ତ୍ତା , ଭାରତବର୍ଷ ର ୨୬ଟି ଆଞ୍ଚଳିକ ଅନୁସନ୍ଧାନ ସଂସ୍ଥାନ ମାଧ୍ୟମରେ ସାଧାରଣ ମଣିଷ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛି। ଦିଲ୍ଲୀ ସମ୍ମିଳନୀ ରେ ବିଶ୍ଵର ୧୫୦ ରୁ ଉର୍ଦ୍ଧ୍ବ ରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ୧୫୦ ଜଣ ବିଜ୍ଞାନୀ-ବିଶେଷଜ୍ଞ ,୨୦ଟି ଅଧିବେଶନ ରେ ବକ୍ତବ୍ୟ ରଖିବେ, ଯେଉଁଥିରେ ୨୧ଟି ମନୋନୀତ ଅଭିନବତା ପ୍ରଦର୍ଶନ ହେବ।ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ଡାକ୍ତର ପୃଷ୍ଟି,୧୯୭୮ ମସିହାରେ ଭାରତବର୍ଷ ର ସର୍ବୋଚ୍ଚ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପ୍ରତିଷ୍ଠାନ ଓ ୧୯୮୦ ମସିହାରେ ପୁରୀ ରେ ଆଞ୍ଚଳିକ ହୋମିଓପାଥି ଅନୁସନ୍ଧାନ ସଂସ୍ଥାନ କିପରି ଫାଇଲେରିଆ, ଆଣ୍ଠୁଗଣ୍ଠି ବାତ, ଚର୍ମରୋଗ,ଶିଶୁରୋଗ ଵିଶେଷତଃ ସ୍ତ୍ରୀ ଓ ପ୍ରସୂତି ରୋଗ ଚିକିତ୍ସା କ୍ଷେତ୍ରରେ ବର୍ଷ ବର୍ଷ ଧରି ଓଡ଼ିଶାବାସୀଙ୍କୁ କିପରି ସେବା – ସହଚର୍ଯ୍ୟ ଦେଇଛି ତାହାର ସୂଚନା ଦେଇଥିଲେ। ସେମାନେ କହିଥିଲେ ଯେ ପୁରୀ ରେ ଏହି ସଂସ୍ଥାନ ର ଦଶଶଯ୍ୟା ବିଶିଷ୍ଟ ଅନ୍ତବିଭାଗ ରହିଥିବା ବେଳେ, ଦୁଇଟି ବହିଃଵିଭାଗ ରହିଛି, ଯେଉଁଠାରେ ବର୍ଷକୁ ପୁରୀ,ସମ୍ବଲପୁର, ଅନୁଗୋଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ୨୫ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି। ଏହାବ୍ୟତୀତ ଏହି ସଂସ୍ଥାନ ପକ୍ଷରୁ ସହର ସହ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ବିଶେଷ କରି ଅନୁସୂଚିତ ଜାତି ରହୁଥିବା ଅଞ୍ଚଳ ରେ ଚିକିତ୍ସା ଶିବିର ସହିତ ରାଷ୍ଟ୍ରୀୟ ପୋଷଣ ଅଭିଯାନ, ରାଷ୍ଟ୍ରୀୟ ସ୍ବଚ୍ଛତା ଅଭିଯାନ,ମାସିକ ଋତୁସ୍ରାବ, ରକ୍ତଦାନ,ମିଲେଟ ଓ ପରିବେଶ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।ଆୟୁଷ ଅଧିନସ୍ଥ ହୋମିଓପାଥି କୁ ନେଇ ଦିଲ୍ଲୀ ଠାରେ ହେଉଥିବା ଶିଖର ସମ୍ମିଳନୀ, ବିଶ୍ଵରେ ଭାରତବର୍ଷ କୁ ନୂତନ ପରିଚୟ ଦେବା ସହ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ଓ ଅନୁସନ୍ଧାନ ମୂଳକ ପାରଂପରିକ ହୋମିଓପାଥି ଚିକିତ୍ସାର ସୁଯୋଗ ଜନସାଧାରଣ ନେବାକୁ ସମ୍ମିଳନୀ ରେ ଆହ୍ୱାନ କରାଯାଇଛି।
