ସ୍ବପ୍ନ — ୨
ସ୍ବପ୍ନ — ୨
🔹କବିରତ୍ନ ନୂତନ କୁମାର ବେହେରା
ଗାଢ଼ ନିଦ୍ରାରେ ଥାଇ ଅବଚେତନ ମନ
ମୁଦ୍ରିତ ଆଖିରେ ଦେଖେ ଅସରନ୍ତି ସ୍ବପ୍ନ ସବୁ
ତା’ ପାଇଁ ନ ଥାଏ ନିର୍ଦ୍ଦିଷ୍ଟ କିଛି ସମୟ
ରାତି ଶୋଇଥାଉ କି ଦିନ ବେଳା
ସ୍ବପ୍ନ ଆସେ ଏମିତି ତା’ର ଢଙ୍ଗରେ
ସେ ହୋଇ ପାରେ ଦୁଃଖର ଅବା ସୁଖର
ଭୟ ଭ୍ରାନ୍ତି ନୈରାଶ୍ୟର କି ସାହସିକତାର
ହାରିବାର ଗ୍ଳାନି କିମ୍ବା ଜିତିବାର ଆହ୍ଲାଦ
ପାଇବାର ଖୁସି ବା ହଜାଇବାର ଖେଦ
ସ୍ବପ୍ନ କେବେ ହୋଇଥାଏ ରୋମାଞ୍ଚକର ତ
କେବେ ହୁଏ ଦୁଃଖ ବିଷାଦର ଲୁହଭରା
ଯିଏ ଯେଉଁ ଅବସ୍ଥାରେ ରହିଥାଏ
ତା ମନର ଭାବନା ନେଇ ସ୍ବପ୍ନ ଦେଖେ
ସେ ଦୃଶ୍ୟ କେବଳ ତା ଏକଲାର
କାହାକୁ ବି ଦେଖାଇ ପାରେନା କେବେ
ସ୍ମରଣରେ ଥିଲେ ଆଂଶିକ ବର୍ଣ୍ଣନା କରେ
ସ୍ବପ୍ନ ଆସିଥାଏ ନିଦ୍ରା ଭାଙ୍ଗିବାକୁ
ମାତ୍ର ନିଦ ସହିତ ସ୍ଵପ୍ନ ସ୍ବୟଂ ଭାଙ୍ଗିଯାଏ
ପୁନଶ୍ଚ ନିଦ୍ରା ଆସେ କିନ୍ତୁ ସେଇ ସ୍ବପ୍ନ
ଦ୍ଵିତୀୟ ବାର ସେମିତି ଅବିକଳ
ଜୀବନ ତମାମ ଜମାରୁ ଆସେ ନାହିଁ
ସ୍ବପ୍ନ ଆସେ ଗାଢ଼ ନିଦ୍ରାରୁ ଜାଗ୍ରତ କରିବାକୁ
ଶରୀରର ଓ ମନର ଆବଶ୍ୟକତା ନେଇ
ଏ ସ୍ବପ୍ନ କ୍ଷଣ ଭଙ୍ଗୁର ସାମୟିକ
ଏକ ଅବାସ୍ତବ କଳ୍ପନାର ପ୍ରତିଛବି ମାତ୍ର
ସ୍ବପ୍ନକୁ ସମୀକ୍ଷ କରି ବୁଝିହୁଏ ମନୋଭାବକୁ
ସକରାତ୍ମକ ହେଲେ ମିଳେ ପ୍ରେରଣା
ନକରାତ୍ମକ ହେଲେ ରହିବାକୁ ହୁଏ ସଜାଗ
ସ୍ବପ୍ନର ରହସ୍ୟ ଭିତରେ ଲୁଚିଥାଏ
ଜୀବନକୁ ସଜାଡ଼ିବାର ଉଦ୍ୟମ ଓ କୌଶଳ
ନୂଆ କିଛି ଆସ୍ତିକ ଚିନ୍ତନ କରିବାର
ମନକୁ ନିୟନ୍ତ୍ରଣରେ ରଖିବାର ପ୍ରୟାସ
ସ୍ବପ୍ନ ସବୁଦିନ ସ୍ବପ୍ନ ହୋଇ ରହେ
ଯେଉଁ ସ୍ବପ୍ନ ଜାଗ୍ରତରେ ଆଣିଦିଏ ଆଶା
ତା’ ପୂରଣ କରିବାରେ ଥିଲେ ଲକ୍ଷ୍ୟ
ଜୀବନର ମହତ ଉଦ୍ଦେଶ୍ୟ ସଫଳ ହୁଏ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।
