ଭୁବନେଶ୍ୱର-ପୁରୀ-କୋଣାର୍କକୁ ଚାଲିବ ମେଟ୍ରୋ ଟ୍ରେନ୍

ଖୁବଶୀଘ୍ର ଘୋଷଣା କରିବେ ନବୀନ। ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚାଲିବ । ପର୍ଯ୍ୟଟକଙ୍କ ସମେତ ଯାତ୍ରୀଙ୍କ ସୁବିଧା ପାଇଁ ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରେଳ ମନ୍ତ୍ରଣାଳୟ ସହ ମେଗା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ଶେଷ ହେବା ସହ ଟ୍ରେନ ଚାଲିବାକୁ ଥିବା ରେଳମାର୍ଗ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର-ପୁରୀ ମଧ୍ୟରେ ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ଓ ପରବର୍ତ୍ତୀ ସମୟରେ ଏହାକୁ କୋଣାର୍କ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ମେଟ୍ରୋ ଟ୍ରେନ ଚଳାଚଳ କଲେ ଭୁବନେଶ୍ୱର ଓ ପୁରୀର ୬୦କିମି ଦୂରତ୍ୱକୁ ମାତ୍ର ଅଧଘଣ୍ଟା ମଧ୍ୟରେ ଅତିକ୍ରମ କରାଯାଇପାରିବ । ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ବିକଶିତ କରୁଥିବାବେଳେ ଏକାମ୍ର କ୍ଷେତ୍ର ଓ ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ର କୋଣାର୍କ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ରାଜ୍ୟବାସୀ ତଥା ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଦେବ । ଏହି ମେଗା ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣା ଜମି ସହ ଆର୍ଥିକ ଖର୍ଚ୍ଚ ମଧ୍ୟ ତୁଲାଇବେ ବୋଲି ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଏନେଇ ବିସ୍ତୃତ ରିପୋର୍ଟ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟରେ ଦାଖଲ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *