ଚେନାଏ ହସ
ଚେନାଏ ହସ
( ରାଗ — କାଳୀ )
🔹କବିରତ୍ନ ନୂତନ କୁମାର ବେହେରା
ଚେନାଏ ହସ’ ମୁଖେ ପୀୟୂଷ’
ହୃଦୟେ ଭରେ ଖୁସି’,
ଥିଲେ ଉଦାସ’ ତାର ପ୍ରକାଶ’
ବିଷାଦ ଦିଏ ନାଶି’ ।
ମାଆର କୋଳେ ଆନନ୍ଦ ଭୋଳେ
ଶିଶୁ ଦେଲେଟି ହସି,
ରହେନା ତିଳେ ଦୁଃଖ ସେ କାଳେ
ଖସି ପଡ଼ଇ ଶଶୀ ।
ଶୁଭ ଲଗନେ ବନ୍ଧୁ ମିଳନେ
ମିଳେ ଆନନ୍ଦ ଅତି,
ପ୍ରଫୁଲ୍ଲ ମନେ ମଧୁ ବଚନେ
ବଢ଼ି ଯାଏ ତ ପ୍ରୀତି ।
ହସର ମୁଣି ରତନ ଖଣି
ଅମର କରେ ପ୍ରେମ,
ହସରେ କିଣି ହୁଅଇ ଜିଣି
ଭବେ ତା’ ଅନୁପମ ।
ଚେନାଏ ହସ ଫୁଲର ବାସ
ମନରେ ଦିଏ ଶାନ୍ତି,
ସଂସାରେ ବାସ ହୁଏ ସରସ
ପ୍ରକାଶେ ତାର କାନ୍ତି ।
ପ୍ରିୟାର ହସେ ପ୍ରେମ ଉଲ୍ଲାସେ
ଜିଣି ହୁଅଇ ଗଡ଼,
ଭାବର ପାଶେ ମନଟି ରସେ
ଅଭୟ ଏଇ ନୀଡ଼ ।
ମୁହଁର ହସ ଆଣେ ବିଶ୍ଵାସ
ପର ହୁଏ ନିଜର,
ନ କରି ଦୋଷ ଥିଲେ ନିର୍ଦ୍ଦୋଷ
ଚିହ୍ନି ହୁଏ ଅନ୍ତର ।
ବସୁଧା ଏକ ରଖିଲେ ଟେକ
ହସ ଯେ ହୀରା ମୋତି,
ସାରା ମୁଲକ ହୁଏ ଆଲୋକ
ଖେଳି ଯାଏ ତା’ ଜ୍ୟୋତି ।
ହସର ମୂଲ ଅଟେ ଅମୂଲ
ସଂସାରେ ସର୍ବଶ୍ରେଷ୍ଠ,
ନାହିଁ ତା’ ତୁଲ ସେ ଫୁଟା ଫୁଲ
କରାଏ ଏକ ନିଷ୍ଠ ।
ପ୍ରକୃତି ଶିରୀ ଯେ ଅସୁମାରି
ହସି ହସାଏ ନିତି,
ଆଦର କରି ଦିଏ ବିତରି
ଜୀବନ ଯାଏ ବିତି ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ ।
