ଏ ଜୀବନ ସ୍ରୋତ
ଏ ଜୀବନ ସ୍ରୋତ
( ରାଗ — ମତିଆରୀ )
🔹କବିରତ୍ନ ନୂତନ କୁମାର ବେହେରା
ଏ ଜୀବନ ସ୍ରୋତ’ ବହେ ଅବିରତ’
ଲକ୍ଷ୍ୟ ପଥେ ତାର’ ରହି ହେ’,
ରହେନା ଅଟକି’ ହୋଇ ସେ ଏକାକୀ’
ବାଧାବିଘ୍ନ ଯାଏ ‘ ଏଡି଼ ହେ’ ।
ଦିବସ ରଜନୀ ଆଶା ସ୍ବପ୍ନ ଘେନି
କରଇ ସଂଘର୍ଷ ନିତି ହେ,
ନିରନ୍ତର ଗତି କରେ ରଖି ସ୍ଥିତି
ଅନାବିଳ ତାର ପ୍ରୀତି ହେ ।
ନଦୀ ସମ ବଢ଼ି ଆସେ ଯେବେ ମାଡ଼ି
ଲଙ୍ଘିଯାଏ ତାର କୂଳ ହେ,
ଉଦ୍ଦାମେ ପ୍ରଖର ଧାଏଁ ତରତର
ଦେଖାଏ ଅସୀମ ବଳ ହେ ।
ଜୀବନ ନଈରେ ଯୌବନ ବନ୍ୟାରେ
ହେଲେ ନିୟନ୍ତ୍ରଣ ହୀନ ହେ,
ମନର କାମନା ଦିଅଇ ଯନ୍ତ୍ରଣା
ବୁଡ଼ିଯାଏ ତାର ମାନ ହେ ।
ଜୀବନର ସ୍ରୋତେ ରଙ୍ଗର ମୋହିତେ
ପ୍ଳାବିତ ହୁଅଇ ମନ ହେ,
ହୃଦୟର ଭାବ ସଂସାରେ ବିଭବ
ଅନୁଭବେ ଭରେ ଜ୍ଞାନ ହେ ।
ଦୁଃଖ ଝଡ଼ ଝଞ୍ଜା ହୋଇଥାଏ ଖଞ୍ଜା
ସବୁରି ଜୀବନ ସାଥେ ହେ,
ଧୈର୍ଯ୍ୟର ସହିତ କରିଲେ ବିହିତ
ସୁଗମେ ଚାଲଇ ପଥେ ହେ ।
ଜୀବନର ସ୍ରୋତ କେଉଁଠି ତା’ ଅନ୍ତ
କହି ପାରେନାହିଁ କେହି ହେ ?
କର୍ମ ନେଇ ଲେଖା ରୁହଇ ଅଦେଖା
ଜୀବ ରହେ ସବୁ ସହି ହେ ।
ଜୀବ ଘଟେ ଆତ୍ମା ଖୋଜି ପରମାତ୍ମା
ବହେ ଜୀବନର ସ୍ରୋତ ହେ,
ଏକ ପରଂବ୍ରହ୍ମ ସେ ମହାମହିମ
ଜଗତ ପାଳନେ ରତ ହେ ।
ତାଙ୍କ ପାଦେ ଧ୍ୟାନ ରଖି ନିତି ଦିନ
ଭକ୍ତିଭାବେ କଲେ କର୍ମ ହେ,
ପ୍ରାରବ୍ଧ ଖଣ୍ତିତ ହୁଅଇ ସତତ
ଜୀବନର ଏଇ ଧର୍ମ ହେ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ ।
