ପ୍ରତିବିମ୍ବ

ପ୍ରତିବିମ୍ବ
ଡ. ପ୍ରେମାନନ୍ଦ ବେହେରା

ଆଇନାର ନିରବ ଛାତିରେ
ଯେତେବେଳେ ମୁଁ ଠିଆହୁଏ
ମୋ ମୁହଁଠାରୁ ଆଗରେ
ଦେଖାଯାଏ ମୋ ସମୟ……
ଚିରା ଚିରା ଦିନର ରେଖା,
ଅନିଦ୍ରା ରାତିର ଶ୍ୱାସ,
ଓ ନିରବତାରେ ପୋତି ହୋଇଥିବା
ଅନେକ ପ୍ରଶ୍ନ ।।

ପ୍ରତିବିମ୍ବ ମିଛ କହେନାହିଁ,
ସେ ମୁହଁକୁ ନୁହେଁ
ମନକୁ ପଢ଼େ….
ଭିତରେ ଲୁଚିଥିବା
ଭୟ, ସାହସ ଓ ଅପୂର୍ଣ୍ଣତାର
ସମସ୍ତ ଅକ୍ଷର ଏକ ସାଥିରେ ।।

ମୋ ଆଖିର ଗଭୀରତାରେ
ସେ ଦେଖେ
ଶୈଶବର ଖୋଲା ଆକାଶ
ମାଟିର ଗନ୍ଧ ଲାଗିଥିବା ହସ
ଓ ମାଆଙ୍କ ଡାକରେ
ଘରକୁ ଫେରିଆସୁଥିବା
ସରଳ ସନ୍ଧ୍ୟା ।।

କିନ୍ତୁ ପ୍ରତିବିମ୍ବ ଏତିକିରେ ଥମେନାହିଁ….
ସେ ଦେଖାଏ
ଯୁବକାଳର ତୀକ୍ଷ୍ଣ ସ୍ବପ୍ନ
ଯାହା ଦୌଡ଼ି ଦୌଡ଼ି
ସମୟର ପାହାଡ଼ରେ ଧକ୍କା ଖାଇଛି,
ତଥାପି ଭାଙ୍ଗିନାହିଁ
କେବଳ ଅଳ୍ପ ନମ୍ର ହୋଇଛି ।।

ପ୍ରତ୍ୟେକ ରେଖା ମୋ ମୁହଁରେ
ଗୋଟିଏ ଗଳ୍ପ ଲେଖିଛି…
କିଛି ହାରିଥିବା ଦିନର,
କିଛି ଆତ୍ମସଂଘର୍ଷର,
ଆଉ କେବେ ନିଜକୁ ଖୋଜି
ନିଜେ ହରାଇଦେବାର ।।

ଆଇନା ମୋତେ ପଚାରେନାହିଁ
ମୁଁ ସଫଳ କି ନୁହେଁ,
ସେ କେବଳ ଏତିକି କହେ…
“ତୁମେ ଏଯାବତ୍ ଚାଲୁଛ,
ଏହାହିଁ ତୁମର ସତ୍ୟ ।।”

କେବେ କେବେ ପ୍ରତିବିମ୍ବ
ମୋ ସହ ବିରୋଧ କରେ,
ମୁଁ ଯାହା ହେବାକୁ ଚାହେଁ
ଯାହା ମୁଁ ଅଛି
ତାହାର ମଧ୍ୟରେ
ଏକ ଗଭୀର ଖାଇ ଖୋଲିଦିଏ ।।

ସେ ଖାଇ ମଧ୍ୟରୁ
ଉଠିଆସେ ନିରବ ପ୍ରଶ୍ନ…
ମୁଁ କେବେ ନିଜକୁ ନିଜେ
ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିପାରିବି ତ ?

ତଥାପି ପ୍ରତିବିମ୍ବ
ନିରାଶା ନୁହେଁ,
ସେ ଆଶାର ଆଲୋକ…..
ଭାଙ୍ଗିଯାଇଥିବା ଆଇନାର
ପ୍ରତ୍ୟେକ ଟୁକୁଡ଼ାରେ
ସତ୍ୟ ଭଳି ଚମକେ ।।

ଏହିପରି ମୁଁ ବୁଝିଯାଏ—
ପ୍ରତିବିମ୍ବର ମାନେ
ମୋର ଛାୟା ନୁହେଁ
ମୋର ସାକ୍ଷୀ
ମୋ ଯାତ୍ରାର ନିରବ ଇତିହାସ,
ଯେଉଁଠି ମୁଁ ପ୍ରତିଦିନ
ନୂଆ ଭାବେ
ନିଜକୁ ଦେଖେ ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *