ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି
ଡ. ପ୍ରେମାନନ୍ଦ ବେହେରା
ଓଁକାର ଧ୍ୱନିରେ ଜାଗେ ପ୍ରଭାତ
ଶଙ୍ଖନାଦେ ଭାଙ୍ଗେ ନିଶାର ଛାୟା
ମକର ପଥେ ଚାଲି ସୂର୍ଯ୍ୟ ଦେବ
ନେଇ ଆସନ୍ତି ଆଶାର ନୂଆ କାୟା ।।
ଉତ୍ତରାୟଣ……ଦେବଙ୍କ ଦିଗ
ପୁଣ୍ୟର ଦ୍ୱାର ଆଜି ଖୋଲା
ସେ ମନେ ଜଗାଇ ଦେଉଛି ଭକ୍ତି
ଭଗବାନ ହୁଅନ୍ତି ଭକ୍ତଭାବେ ଭୋଳା ।।
ନଦୀ କୂଳେ ଭକ୍ତର ନୀରବତା
ଜଳେ ମିଶେ ମନର ଆର୍ତ୍ତନାଦ
ତୀର୍ଥସ୍ନାନେ ଧୋଇଯାଏ ଅହଙ୍କାର
ଆତ୍ମା ଧରେ ପ୍ରଭୁ ପାଦର ସ୍ୱାଦ ।।
ତିଳରେ ଗୁଡ଼, ଗୁଡ଼ରେ ତିଳ
ସମ୍ପର୍କ ପରି ମିଠା ଓ ଗଭୀର
ଦାନର ହାତେ ଭକ୍ତି ଫୁଟେ
ମନ ହୁଏ ଆଲୋକରେ ଧୀର ।।
ଧୂପର ସୁଗନ୍ଧେ ଭରିଯାଏ ଦିନ
ଦୀପଶିଖା ଲେଖେ ମନ୍ତ୍ର ନିରବ
“ହେ ନୀଳମାଧବ, ହେ ଜଗନ୍ନାଥ”
କହି କାନ୍ଦେ ହୃଦୟ…..ସରଳ, ନିର୍ଲୋଭ ।।
ମାଆ ହାତର ପିଠା ପରି
ପ୍ରସାଦ ଲାଗେ ତୁମ ନାମ
ଏକ ଡାକରେ ମିଳେ ଶାନ୍ତି
ଭାଙ୍ଗେ ମାୟା ସଂସାରର ଭ୍ରମ ।।
ଆକାଶେ ଉଡ଼ୁଥିବା ପତଙ୍ଗ ପରି
ମୋ ମନ ଖୋଜେ ତୁମ ଆକାଶ
ମାୟାର ସୂତା ଛିଣ୍ଡାଇ ଦେଇ
ତୁମ ପାଦେ ହୁଏ ନିରାକାଶ ।।
ମକର ସଂକ୍ରାନ୍ତି….ନୁହେଁ କେବଳ ଦିନ,
ଏକ ଆତ୍ମିକ ଯାତ୍ରା, ଏକ ପଥ
ଯେଉଁଠି ମଣିଷ ଛାଡ଼େ ନିଜକୁ
ପାଏ ପ୍ରଭୁକୁ…..ନିର୍ମଳ, ନିର୍ଦ୍ବନ୍ଦ, ସତ୍ୟ ।।
ହେ ପ୍ରଭୁ, ଏହି ପୁଣ୍ୟ ଲଗ୍ନେ
ମୋ ହୃଦୟକୁ କର ତୀର୍ଥ
ମୋ ଜୀବନ ହେଉ ତୁମ ଭଜନ
ମୋ ପ୍ରତ୍ୟେକ ଶ୍ୱାସ….ଏକ ପର୍ବ ।।
ପଦ୍ମପୁର, ବରଗଡ଼
