ବିକାଶ ର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ
ବିକାଶ ର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ଆଂବେଦକର କମ୍ୟୁନିଟି ହଲ୍ ଖୁବ୍ ଶୀଘ୍ର ନିର୍ମାଣ ହେବ: ବିକାଶ ଆଂବେଦକରବାଦ ହିଁ ମୁକ୍ତିର ଚାବିକାଠି: ବିକାଶ ଆଜି, ତା.୧୫.୧.୨୦୨୬ରିଖ ସ୍ଥାନୀୟ ସାମାଜିକ ଅନୁଷ୍ଠାନ “ବିକାଶ ” ପକ୍ଷରୁ ଆଜି ମହା ସମାରୋହରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଖଡାସିଙ୍ଗି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବ ର ସାଧାରଣ ସଭାରେ ଅବସରପ୍ରାପ୍ତ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ନଳିନୀ କୁମାର ବେହେରା ସଭାପତିତ୍ବ କରିଥିବାବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ, ସାହିତ୍ୟିକ ତଥା ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ା. ରାଜେନ୍ଦ୍ର କୁମାର ବେହେରା, ସମ୍ମାନିତ ଅତିଥି ଭାବେ ମାଲ୍ କାନଗିରି ଜିଲ୍ଳାର ମାତିଲି ବ୍ଳକ ର ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ବେହେରା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସର୍ବ ଭାରତୀୟ ସ୍ତରରେ ଅନୁସୂଚୀତ ଜାତି ଓ ଜନଜାତି ବର୍ଗ ପାଇଁ ଲଢେ଼ଇ କରୁଥିବା ଶ୍ରୀ ଦିଲ୍ଲୀପ କୁମାର ବେହେରା, ଅତିଥି ଭାବେ ସମାଜସେବୀ ତଥା ଛତ୍ରପୁର ସରକାରି ହସ୍ପିଟାଲରେ କାର୍ଯ୍ୟରତ ଡ଼ାକ୍ତର ଡ଼ା.ଗୋପବନ୍ଧୁ ବେହେରା, ମୁଖ୍ୟ ବକ୍ତା ଭାବେ ବିକାଶ ର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଗୋକୁଲ ବେହେରା, ବିକାଶ ବନ୍ଧୁମିଳନ ଉତ୍ସବର ସଂଯୋଜକ ତଥା ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଜ୍ୟୋତି କ୍ରିଷ୍ଣା ବେହେରା, ବରିଷ୍ଠ ପ୍ରତିଷ୍ଠାତା ସଦସ୍ୟ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଶ୍ରୀ ସୀତାରାମ ବେହେରା,ସାଧାରଣ ସମ୍ପାଦକ ଶ୍ରୀ ଅବନୀ ଗୟା ପ୍ରମୁଖ ମଞ୍ଛାସିନ ଥିବା ବେଳେ ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରବି ନାରାୟଣ ବେହେରା ସଭା କାର୍ଯ୍ୟ ସଂଯୋଜନା କରିଥିଲେ l

ସଭା କାର୍ଯ୍ୟ ଆରମ୍ଭରେ ସମ୍ବିଧାନ ପ୍ରଣେତା ବାବାସାହେବ୍ ଆଂବେଦକର ଓ ସ୍ଵାଧୀନତା ସଂଗ୍ରାମୀ ବିଶ୍ବମ୍ବର ବେହେରାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରଯାଇଥିଲା l ସାଧାରଣ ସମ୍ପାଦକ ତଥା ଆଇନଜୀବି ଅବନୀ ଗୟା ସଂପାଦକୀୟ ବିବରଣୀ ପାଠ କରିବା ପରେ ମୂଖ୍ୟ ବକ୍ତା ଗୋକୁଲ ବେହେରା ନିଜ ବକ୍ତବ୍ୟରେ ବ୍ରହ୍ମପୁର ଠାରେ ଆଂବେଦକର କମ୍ୟୁନିଟି ହଲ୍ ନିର୍ମାଣ ନେଇ ସମସ୍ତ ସଦସ୍ୟ ଆଗକୁ ଆସିବା ଦରକାର ବୋଲି ମତ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଡ଼ା. ରାଜେନ୍ଦ୍ର କୁମାର ବେହେରାଙ୍କ ରଚିତ ‘କେହି ଜଣେ ଅନ୍ତରଙ୍ଗ ‘ ଓ ‘ଲୁଚା ଛପା ‘ ନାମରେ କବିତା ସଙ୍କଳନ ବହି ଉନ୍ମୋଚନ ହୋଇଥିଲା l ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରା ଆଂବେଦକରବାଦ ହିଁ ଭାରତ ବର୍ଷର ବହୁ ଜାତି, ବର୍ଗ, ସମ୍ପ୍ରଦାୟ ମଧ୍ୟରେ ସମାନତା ଓ ଭାଇଚାରା ପ୍ରତିଷ୍ଠା ପାଇଁ ଆବଶ୍ୟକ ବୋଲି ମତ ପ୍ରଦାନ କରିଥିଲେ l ମହିଳାଙ୍କ ଉଚ୍ଚ ଶିକ୍ଷl, ସ୍ଵାଧୀନତା ପାଇଁ ଆଂବେଦକରବାଦ ହିଁ ମୁକ୍ତି ର ମାର୍ଗ ବୋଲି ଅନ୍ୟତମ ସମ୍ମାନିତ ଅତିଥି ତଥା ବିଶିଷ୍ଟ ଆଂବେଦକରବାଦୀ ଦିଲ୍ଲିପ କୁମାର ବେହେରା ମତ ପ୍ରଦାନ କରିଥିଲେ l ଡ଼ା.ଗୋପବନ୍ଧୁ ବେହେରା ସ୍ଵାଧୀନତା ସଂଗ୍ରାମୀ ବିଶ୍ବମ୍ବର ବେହେରାଙ୍କ ସ୍ଵାଧୀନତା ସଂଗ୍ରାମରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ l ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ସୀତାରାମ ବେହେରା ପ୍ରାଥମିକ ସୂଚନା ପ୍ରଦାନ କରିଥିବାବେଳେ ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ୟୋତି କ୍ରିଷ୍ଣା ବେହେରା ଧନ୍ୟବାଦ ଜଣାଇଥିଲେ l
