ଧଳାଜହର କବଳରେ ଶ୍ରୀକ୍ଷେତ୍ର ପୁରୀ।
ଧଳାଜହର କବଳରେ ଶ୍ରୀକ୍ଷେତ୍ର ପୁରୀ। ପ୍ରତି ସମୟରେ ଧାର୍ମିକ ତଥା ଆଧ୍ୟାତ୍ମିକ ସହର ପୁରୀରୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହେଉଛି। ତେବେ ବ୍ରାଉନ ସୁଗାର ମାଫିଆଙ୍କ ଉପରେ ପୁରୀ ପୋଲିସ କଡ଼ା ନଜର ରଖିଥିବା ବେଳେ ଆଜି ପୋଲିସକୁ ପୁଣି ବଡ଼ ସଫଳତା ମିଳିଛି। ପୁରୀ ବ୍ରହ୍ମଗିରି ଥାନା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ୭ ଜଣ ବ୍ରାଉନ ସୁଗାର ମାଫିଆ। ବ୍ରହ୍ମଗିରି ଥାନା ଅନ୍ତର୍ଗତ ମା ପାଦୁକେଇ ମନ୍ଦିର ମେଳଣ ପଡ଼ିଆରୁ ୭ ଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ୧୧୯ ଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ୧୨ ହଜାର ୫ ଶହ ଟଙ୍କା ଜବତ କରାଯାଇଛି। ଏଥିସହ ଗୋଟିଏ ଚାରି ଚକିଆ ଏବଂ ତିନୋଟି ଦୁଇ ଚକିଆ ସହିତ ୧୦ ଟି ମୋବାଇଲ ଫୋନ୍ ପୋଲିସ ଜବତ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ତାଳବଣିଆ ଅଞ୍ଚଳର ସୁଜିତ ନାୟକ, ନାରାୟଣ ପ୍ରଧାନ, ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରର ଦୀପକ ପଣ୍ଡା, ଖୋର୍ଦ୍ଧାର ବିଭୂତି ଭୂଷଣ ପଟ୍ଟନାୟକ, ବ୍ରହ୍ମଗିରିର ଶିବପ୍ରସାଦ ସେଠୀ, ପପୁନ୍ ସୁନ୍ଦରା ଏବଂ ବିଶେଶ୍ବର ନାୟକ। ଖୋର୍ଦ୍ଧାରୁ ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ଆଣି ପୁରୀରେ ବିକ୍ରୀ କରିବା ପାଇଁ ଯୋଜନା କରିଥିଲେ। ସେପଟେ ପୁରୀ ପୋଲିସର ଏଭଳି ସଫଳତାକୁ ସ୍ବାଗତ କରିଛନ୍ତି ସେବାୟତ ଓ ମଠାଧୀଶ।
