ରଥଯାତ୍ରା ପାଇଁ ପୁରୀ ସହରର ସାହି, ଗଳି ଓ ବାଇ-ଲେନ୍‌ର ଏସ୍ପି ପୁରୀଙ୍କ ନେତୃତ୍ୱରେ ମାଇକ୍ରୋ ଲେଭେଲ୍ ସମୀକ୍ଷା।

ରଥଯାତ୍ରା ପାଇଁ ପୁରୀ ସହରର ସାହି, ଗଳି ଓ ବାଇ-ଲେନ୍‌ର ଏସ୍ପି ପୁରୀଙ୍କ ନେତୃତ୍ୱରେ ମାଇକ୍ରୋ ଲେଭେଲ୍ ସମୀକ୍ଷା। ଆସନ୍ତା ରଥଯାତ୍ରା ପାଇଁ ପୁରୀ ସହରକୁ ଦେଶ ଓ ବିଦେଶରୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବାର ସମ୍ଭାବନା ରହିଥିବା ପରିପ୍ରେକ୍ଷୀରେ, ସାର୍ବଜନୀନ ସୁରକ୍ଷା, ଶାନ୍ତି-ଶୃଙ୍ଖଳା ଓ ସୁସଂଗଠିତ ଯାତାୟାତ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ କରାଯାଇଛି।ଏହି ପରିପ୍ରେକ୍ଷୀରେ ପୁରୀ ଏସ୍ପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁରୀ ସହରର ବିଭିନ୍ନ ସାହି, ଗଳି, ଲେନ୍ ଓ ବାଇ-ଲେନ୍‌ର ମାଇକ୍ରୋ ଲେଭେଲ୍ ସମୀକ୍ଷା ଓ ଭୂମିସ୍ତରୀୟ ଇନ୍ସପେକ୍ସନ୍ କରାଯାଇଛି।ପୁରୀ ଏସପି ଓ ଟିମ୍ ଦକ୍ଷିଣଦ୍ୱାର, ଧାନକୁଟି ସାହି, ବାରାହୀ ଲେନ୍, କାମାକ୍ଷା ଛକ, ଜମ୍ବେଶ୍ୱର ମନ୍ଦିର, ହରଚଣ୍ଡୀ ସାହି, ମଣିକର୍ଣ୍ଣିକା ସାହି, ଗାଣ୍ଡୁଆଚଉରା ଛକ ସହିତ ପୁରୀ ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ସମସ୍ତ ଅଞ୍ଚଳ ମାଧ୍ୟମରେ ରଥଯାତ୍ରା ସମୟରେ ଓ ସାଧାରଣ ଦିନରେ ମଧ୍ୟ ହଜାର-ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଯାତାୟାତ ହୋଇଥାଏ। ଇନ୍ସପେକ୍ସନ୍ ସମୟରେ ଏସ୍ପି ପୁରୀ ପ୍ରତୀକ ସିଂହ ନିଜେ ଲେନ୍ ଓ ବାଇ-ଲେନ୍‌ଗୁଡ଼ିକର ଚଉଡ଼ା, ରାସ୍ତାର ଭୌଗଲିକ ଅବସ୍ଥା, ସମ୍ଭାବ୍ୟ ଟ୍ରାଫିକ୍ ଅବରୋଧ, ଅନାବଶ୍ୟକ ଓ ଅବୈଧ ପାର୍କିଂ, ଭିଡ଼ ପ୍ରବଣ ଅଞ୍ଚଳ, ଅନ୍ଧାର ସ୍ଥାନ, ଆଲୋକ ବ୍ୟବସ୍ଥା, ସିସିଟିଭି କଭରେଜ୍ ଓ ଆପାତକାଳୀନ ସ୍ଥିତିରେ ରେସ୍କ୍ୟୁ ଓ ଏକ୍ସେସ୍ ରୁଟ୍ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ପୁରୀ ପୋଲିସ ପକ୍ଷରୁ ସହରବାସୀ, ବ୍ୟବସାୟୀ, ହୋଟେଲ ମାଲିକ ଓ ପର୍ଯ୍ୟଟକମାନଙ୍କୁ ସହଯୋଗ ପାଇଁ ଆହ୍ବାନ କରାଯାଇଥିବା ଏସପି କହିଛନ୍ତି। କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ, ଅସାମାଜିକ ତତ୍ତ୍ୱ କିମ୍ବା ଆପାତକାଳୀନ ସ୍ଥିତି ଦେଖିଲେ ସଙ୍ଗେ ସଙ୍ଗେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେବାକୁ ଏସପି ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *