ଓଡ଼ିଆଙ୍କ ଶ୍ରଦ୍ଧା ଓ ଭକ୍ତିର ସ୍ବର୍ଣ୍ଣ ଧନୁ ଯିବ ଅଯୋଧ୍ୟା
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅଯୋଧ୍ୟା ଯିବ ଓଡ଼ିଆଙ୍କ ଶ୍ରଦ୍ଧା ଓ ଭକ୍ତିର ସ୍ବର୍ଣ୍ଣର ‘ଧନୁ’। ରାଉରକେଲାରୁ ଆସିଥିବା ଏହି ଧନୁ ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ଆଜି ପୁରୀରେ ପହଞ୍ଚିଥିଲା l ଉତ୍ତରପାର୍ଶ୍ଵ ମଠରେ ପହଞ୍ଚିଥିବା ଏହି ଭକ୍ତି ସୂଚକ ଧନୁକୁ ଭକ୍ତମାନେ ମଠ ପରିସରରେ ଦର୍ଶନ କରିବାର ସୁଯୋଗ ପାଇବା ସହ ପରିକ୍ରମା କରିଥିଲେ | ସ୍ତୋତ୍ର ପାଠ, ଭଜନ କୀର୍ତ୍ତନ ସହ ଗୋଟିପୁଅ ଓ ଓଡିଶୀ ନୃତ୍ୟ ମାଧ୍ୟମରେ ଏହି ସ୍ୱର୍ଣ୍ଣର ଧନୁକୁ ପରିକ୍ରମା କରାଯାଇଥିଲା। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତଙ୍କ ଗହଣରେ ଧନୁ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା। ପରିକ୍ରମା ପରେ ପୁରୀରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି ଧନୁ ସହ ତୀର l ଏହି ଧନୁ ୨୮୬ କେଜି ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧ କେଜି ସୁନା, ଅଢ଼େଇ କେଜି ରୁପା ସହ ତମ୍ବା, ଜିଙ୍କ ଓ ଲୁହା ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଇଛି। ପ୍ରାୟ ୧କୋଟି ୧୦ଲକ୍ଷ ଟଙ୍କା ବିନିମୟରେ ଏହି ଧନୁ ପ୍ରସ୍ତୁତ କରାଯାଇଛି। ଆସନ୍ତା ୨୨ ତାରିଖରେ ଏହାକୁ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚରଣରେ ଅର୍ପଣ କରାଯିବ l ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ସ୍ପର୍ଶ କରାଇ ଅଯୋଧ୍ୟା ରାମ ମନ୍ଦିର ସଂଗ୍ରହାଳୟରେ ଏହା ସ୍ଥାନିତ ହେବ l ଅନେକ ଭକ୍ତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ଉପହାର ଦେଉଥିବା ବେଳେ ଏହି ଧନୁ ଓଡ଼ିଶାବାସୀଙ୍କ ଭକ୍ତିର ଉପହାର ଭାବେ ଉକ୍ତ ସଂଗ୍ରହାଳୟରେ ସ୍ଥାନ ପାଇବ l ତେଣୁ ଭବ୍ୟ ଆଡମ୍ବରରେ ପ୍ରଭୁଙ୍କ ଏହି ଧନୁକୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିଲା। ଏଥିରେ ସମସ୍ତ ବିଦେଶୀ ଭକ୍ତ,, ମଠ ମହନ୍ତ, ସନ୍ଥ, ଭକ୍ତ ଓ ସେବାୟତ ବୃନ୍ଦ ସାମିଲ ହୋଇଥିଲେ।
