ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ
ନବରଙ୍ଗପୁର ୨୨/୦୧(ବି,ପ୍ର) ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଅବସରରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ର ମିଳିତ ସହଯୋଗରେ ଆଜି ମିସନ ଶକ୍ତି ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦିବସର ଉଦେଶ୍ୟ ବିଷୟରେ ଆଲୋକପାତ କରି ସମାଜରେ ଝିଅ ମାନେ ସମ୍ମୁଖୀନ ହେଉଥିବା ନାନାଦି ସମସ୍ୟା ଓ ଅସମାନତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ୨୦୦୮ ମସିହାରୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଶିଶୁ କନ୍ୟା ଦିବସ ଆରମ୍ଭ କରାଯାଇଥିଲା ବୋଲି କହିଥିଲେ।ଗତ ୧୮ରୁ ୨୪.୧.୨୦୨୬ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ବାଳିକାମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପାଇଁ ଏକ ସୁସ୍ଥ ଏବଂ ନିରାପଦ ପରିବେଶ ସୃଷ୍ଟି ବିଷୟରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ନିଜର ବକ୍ତବ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଝିଅ ମାନଙ୍କ ପ୍ରଗତି ପାଇଁ ହେଉଥିବା ସମସ୍ତ ପ୍ରଚେଷ୍ଟାର ସଫଳ ରୂପାୟନ ସେତେବେଳେ ହେଇପାରିବ,ଯେତେବେଳେ ଆମେ ମାନସିକ ସ୍ତରରେ ଝିଅମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ପ୍ରସ୍ତୁତ ହେବା।ତାଙ୍କ ପାଇଁ ତାଙ୍କୁ ସୁହାଉଥିଲା ଭଳି ପରିବେଶ ଟିଏ ସୃଷ୍ଟି କରିବା ଏବଂ ସ୍ୱାଧୀନ ଭାବରେ ଚିନ୍ତା କରି ନିଜର ନିଷ୍ପତି ନିଜେ ନେବାପାଇଁ ସେମାନଙ୍କୁ ସୁଯୋଗ ଦେବା। ଏହି ଦିଗରେ ଆମେ ସମସ୍ତେ ଆଜି ନିତ୍ୟାନ୍ତ ଭାବରେ ଚିନ୍ତନ କରିବାର ଆବଶ୍ୟକତା ରହିଛି। ଆଜିର ସମାଜ ପାଇଁ ପ୍ରଥମେ କ୍ଯାରିଅର ପରେ ବିଭାଘର ର କଥା ଉଭୟ ଅଭିଭାବକ ଓ ପିଲାମାନେ ବୁଝିବା ନିତାନ୍ତ ଦରକାର ବୋଲି କହିଥିଲେ। ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ ନାରୀ ମାନଙ୍କର ଶିକ୍ଷା ଓ ବାଲ୍ୟ ବିବାହକୁ ରୋକିବା,ଘରୋଇ ହିଂସା କୁ ରୋକିବାରେ ପାଇଁ ବ୍ୟାପକ ଜନ ସଚେତନତା ଓ ଆଇନ ଗତ ପଦକ୍ଷେପ ନେବାପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ୟୁନିସେଫ ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତ ଙ୍କ ସଂଯୋଜନାରେ ହୋଇଥିବା ଏହି ସମାବେଶରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ପୋଲିସ ଉପ ଅଧୀକ୍ଷକ ସରଜୋ ପୁନମ କିସ୍ପୋଟା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ,ଲିଙ୍ଗ ସମ୍ବେଦନଶୀଳତା ବିଶେଷଜ୍ଞ ମମତା ପରିଚ୍ଛା,ନବରଙ୍ଗପୁର ମହା ବିଦ୍ୟାଳୟ ଅଧ୍ୟାପିକା ସଂଗୀତା ତ୍ରିପାଠୀ,ସମାଜ ସେବୀ ମନୋରମା ମାଝି,ଶିଶୁ ମଙ୍ଗଳ କମିଟିର ଅଧକ୍ଷ୍ୟ ଅଜନ୍ତା ପ୍ରିୟଦର୍ଶିନୀ,ସିଡିପିଓ ସସ୍ମିତା ମହାନ୍ତି,ବିରଜାରଜା ମୋହିନୀ ପାଙ୍ଗି,ବିନୀତା ଜେଠି, ଅନୁଷ୍ଠାନ ଯତ୍ନ ଅଧିକାରୀ କୁନିମଣୀ ସ୍ଵାଇଁ,କାଉନସେଲର ଶର୍ମିଷ୍ଟା ଦେଓ,ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ , ଆଇନଜୀବି କିଶୋରୀ ପଟ୍ଟନାୟକ,ମହିଳା ସଶକ୍ତି କରଣ ହବ ର ସଂଯୋଜିକା ସରିତା ରାଣୀ ପାଣି,ଆର୍ଥିକ ସାକ୍ଷରତା ବିଶେଷଜ୍ଞ ସସ୍ମିତା ପାତ୍ର,ଲିଙ୍ଗ ସମ୍ବେଦନଶୀଳତା ବିଶେଷଜ୍ଞ ପ୍ରୀତି କୁମାରୀ ବାଘ ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ, ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ। ଶେଷରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୬ ଜଣ କିଶୋରୀ ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ଅତିରିକ୍ତ ଜିଲ୍ଲାପାଳ ସମ୍ମାନିତ କରିଥିଲେ।
