ସରସ୍ୱତୀ ପୂଜା

ସରସ୍ୱତୀ ପୂଜା
ଡ. ପ୍ରେମାନନ୍ଦ ବେହେରା

ଧଳା ଭୋରର ମୁକୁଳ ହସରେ
ଖେଳିଉଠେ ଜ୍ଞାନର ପ୍ରଭା
ବୀଣାର ତାନେ ତାନେ ଝଙ୍କରିଯାଏ
ମନର ଅଜ୍ଞାନ ଅନ୍ଧକାର ।।

ହେ ମାତା ସରସ୍ୱତୀ
ତୁମ ଚରଣେ ଆଜି ମଥା ନୁଆଇଁ
ଶିଶୁରୁ ବୃଦ୍ଧ ପର୍ଯ୍ୟନ୍ତ
ପୁସ୍ତକର ପତ୍ରେ ପତ୍ରେ ଲେଖନ୍ତି ତୁମ ନାମ ।।

ଧଳା ବସନରେ ମାୟା ଲୁଚାଇ
ଶାନ୍ତିର ଦୀପ ହୋଇ ଜଳୁଛ
ହଂସର ପାଖେ ବସି ତୁମେ
ବିବେକ ଓ ବୁଦ୍ଧିକୁ ଆଲୋକିତ କରୁଛ ।।

ମାଟି ସିଲଟରେ ଟିକି ଛୁଆ
ଆଖିରେ ସ୍ବପ୍ନ ଆଲୋକ ଭରି
“ମା’” ବୋଲି ଡାକେ ଭୟଭରା ମନେ
ହାତରେ ଖଡ଼ିଆ, ଭାଗ୍ୟ ଲେଖି ।।

ତୁମ ଆଶୀର୍ବାଦେ ଖୋଲିଯାଏ
ବନ୍ଦ ମନର ଶତଦ୍ୱାର
ଭୁଲରୁ ଶିଖିବା, ସତ୍ୟକୁ ଧରିବା
ଶିଖାଉଛ ତୁମ ନୀରବ ଭାବାଭିନ୍ନାର ।।

ପରୀକ୍ଷାର ଭୟ, ବିଫଳତାର ଲୁହ
ତୁମ ପାଖରେ ହୋଇଯାଏ ଶାନ୍ତ
ଶବ୍ଦରେ ଶବ୍ଦରେ ଗଢ଼ିଦେଉଛ
ଆତ୍ମବିଶ୍ୱାସର ଦୃଢ଼ ପଥ ।।

ଗୁରୁଙ୍କ କଣ୍ଠରେ ତୁମ ସ୍ବର
ଶିକ୍ଷାଳୟରେ ତୁମ ଆଲୋକ
କଲମର ଶୀର୍ଷେ ନୂଆ ଇତିହାସ
ଲେଖାଯାଏ…ତୁମ ଆଶୀଷ ।

ହେ ବିଦ୍ୟାରାଣୀ, ଦିଅ ଶକ୍ତି
ସତ୍ୟ ପଥରେ ଚାଲିବା ପାଇଁ
ଜ୍ଞାନକୁ ନୁହେଁ ଗର୍ବ କରିବା,
ସେବାରେ ଲଗାଇବା ପାଇଁ ।।

ଆଜି ସରସ୍ୱତୀ ପୂଜାର ପବିତ୍ର ଦିନ
ଧୂପ ଦୀପରେ ଭରିଯାଏ ମନ
ତୁମ ଆଶୀର୍ବାଦ ଥାଉ ସଦା
ଜୀବନ ହେଉ ଜ୍ଞାନମୟ, ନିର୍ମଳ, ପବନ ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *