ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ
ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ l ତୀର୍ଥ ପୁଷ୍କରିଣୀ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବୁଡ lv ନାଗା ସାଧୁଙ୍କ ସହ କିନ୍ନର ଆଖଡ଼ା କଲେ ସ୍ନାନ କୋଣାର୍କ – ଚଳିତ ବର୍ଷ ପବିତ୍ର ମାଘସପ୍ତମୀ ବୁଡ ଅବସରରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ, ସାଧୁସନ୍ଥ ଓ ଜନସାଧାରଣ ମାନେ ବାରୁଣୀ ବୁଡ ପକାଇଥିବା ସୂଚନା ମିଳିଛି। ମାଘ ଷଷ୍ଠୀ ରାତିରେ ମାଧିପୁର ଗ୍ରାମର ତ୍ରିବେଣୀଶ୍ବର, କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ବର ଓ ସନ୍ଥପୁର ଗ୍ରାମର ଐଶାନେଶ୍ଵର ମହାଦେବ ନିଜ ନିଜର ପୀଠରୁ ବିମାନ ବିଜେ କରିବା ପରେ ରାତି ୧୨ଟା ସମୟରେ କୋଣାର୍କ ଏନଏସି ଭୋଗ ମଣ୍ଡପ ଠାରେ ପହଞ୍ଚିଥିଲେ । ସେଠାରେ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ତ୍ରିଶମ୍ଭୁଙ୍କୁ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରାଯାଇଥିଲା । କୋଣାର୍କ ଏନଏସି ଭୋଗ ମଣ୍ଡପ ଠାରେ ତ୍ରିଶମ୍ଭୁଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ପରେ ପରେ ବ୍ୟାପକ ସାଜସଜ୍ଜା, ଆଲୋକ ବ୍ୟବସ୍ଥା ଓ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା କରି ତ୍ରିଶମ୍ଭୁ କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଠାରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଭୋଗ ଅର୍ପଣ କାର୍ଯ୍ୟ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ପରେ ରାତି ୨ମିନିଟ ସମୟରେ ତ୍ରିଶମ୍ଭୁଙ୍କୁ ବେହେରା ସେବକ ମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା ଆରମ୍ଭ କରି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ଷଷ୍ଠୀ ରାତି ୩ଘ୫ମିନିଟ ସମୟରେ ପହଞ୍ଚିଥିଲେ। ସ୍ନାନ ମଣ୍ଡପ ଠାରେ ବାବା ତ୍ରିବେଣୀଶ୍ବର, ବାବା ଐଶାନେଶ୍ଵର ଓ ବାବା ଦକ୍ଷିଣେଶ୍ବର ମହାଦେବ ଅବସ୍ଥାନ କରିଥିଲେ। ତ୍ରିଶମ୍ଭୁଙ୍କ ସେବାୟତ ମାନେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପବିତ୍ର ଜଳ ଆଣିବା ପରେ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ହୋମଯଜ୍ଞ, ପୂଜାର୍ଚ୍ଚନା ଓ ଭୋଗ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଧାରିତ ନୀତିକୁ ପୋଲିସ ପ୍ରଶାସନ ପକ୍ଷରୁ ଅବମାନନା କରାଯାଇ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ନୀତି ଚାଲିଥିବା ବେଳେ ରାତ୍ରି ୩ଘ ୫୦ କିଛି ଶ୍ରଦ୍ଧାଳୁ ଧସେଇ ପଶି ପୁଷ୍କରିଣୀରେ ବୁଡ ପକାଇବା ନେଇ ଦୀର୍ଘ ବର୍ଷର ଐତିହ୍ୟ ଓ ପରମ୍ପରା ଭାଙ୍ଗିବା ଘଟଣା କୁ ଐତିହ୍ୟ ବିଶାରଦ, ସଂସ୍କୃତି ବିଶାରଦ, ସେବାୟତ ଓ ବୁଦ୍ଧିଜୀବୀ

ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ପବିତ୍ର ମାଘସପ୍ତମୀ ବୁଡ ଏକ ଅଲଭ୍ୟ ଯୋଗରେ ବାରୁଣୀ ବୁଡ ଅନୁଷ୍ଠିତ ହୋଇଥିଲା। ତୀର୍ଥ ପୁଷ୍କରିଣୀ ରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ବୁଡ ପକାଇବା ସହ ସମୁଦ୍ର କୂଳରେ ସୂର୍ଯ୍ୟ ଉଦୟ ଦେଖିବା ସହ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରିଥିଲେ। ଚଳିତ ବର୍ଷ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଠାରେ ତ୍ରିଶମ୍ଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସଂପାଦନ ହୋଇଥିଲା। ଓ୍ବାଟକୋ ପକ୍ଷରୁ ନିରବଛିନ୍ନ ଜଳଯୋଗାଣ ବ୍ୟବସ୍ଥା, ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା କାମ, ବ୍ୟାରିକେଡ଼ ନିର୍ମାଣ କରାଯାଇଥିଲା। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାମଚଣ୍ଡୀ, ଚନ୍ଦ୍ରଭାଗା, ହେଲିପ୍ଯାଡ ଓ କୋଣାର୍କ ବସଷ୍ଟାଣ୍ଡ ଠାରେ ୪ଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର କେନ୍ଦ୍ର ଖୋଲାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସୁରକ୍ଷା ନିମନ୍ତେ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଙ୍କ ତତ୍ତ୍ଵାବଧାନରେ ୩୪ ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯାଇଥିଲା। ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ନେତୃତ୍ବରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସେବା କାର୍ଯ୍ୟ ସଂପାଦନ ନିମନ୍ତେ ୩୦୦ରୁ ସ୍ବେଚ୍ଛାସେବୀ ମୁତୟନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ(ପ୍ରୋଟୋକଲ) ନୀଳ ମାଧବ ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟ ରଂଜନ ପୃଷ୍ଟି, ପୁରୀ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଏସପି ସଚିନ ପଟେଲ, ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରେ ପରେ ଶ୍ରଦ୍ଧାଳୁ ଭକ୍ତମାନେ ମାଘସପ୍ତମୀ ଅବସରରେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶ୍ଲୁକ ଛାଡ ଥିବାରୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ପରେ ପରେ ଶ୍ରଦ୍ଧାଳୁ ଭକ୍ତମାନେ ପରିବାର ସଦସ୍ୟଙ୍କ ଗ୍ରହ ଶାନ୍ତି ଓ ରିଷ୍ଟ ଖଣ୍ଡନ ନିମନ୍ତେ ନବଗ୍ରହ ପୀଠରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ସଂପାଦନ କରିଥିଲେ। ପବିତ୍ର ମାଘସପ୍ତମୀ ବୁଡ ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାତିତମାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ହଜିଲା ଖୋଜିଲା ମଂଚ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଅନ୍ୟତମ ଆକର୍ଷଣ ସାଜିଥିଲେ ରାଜ୍ୟ ବାହାରୁ ଆସିଥିବା ନାଗା ସାଧୁସନ୍ଥ ଓ କିନ୍ନର ଆଖଡ଼ା ର କିନ୍ନର ମାନେ। ସେମାନେ ମଧ୍ଯ ନୃତ୍ୟ ଗୀତ କରି ତୀର୍ଥରେ ସ୍ନାନ କରି ଆନନ୍ଦିତ ହୋଇଥିଲେ। ନାଗା ସାଧୁସନ୍ଥ ମାନଙ୍କ ପାଇଁ ରାଜ୍ୟ ସରକାର ଅଧିକ ସୁବିଧା ସୁଯୋଗ ଯୋଗାଇ ଦେଲେ ଶତାଧିକ ନାଗା ସାଧୁ ଆସି ପାରିବେ ବୋଲି କହିଥିଲେ।
