ରକ୍ତଦାନ ଶିବିରରେ ନାରୀ ମାନଙ୍କର ଅବଦାନ ପ୍ରଥମ

ରକ୍ତଦାନ ଶିବିରରେ ନାରୀ ମାନଙ୍କର ଅବଦାନ ପ୍ରଥମ lଯାଜପୁରରୋଡ଼ ଅଗ୍ନିଶମ ଓ ଜରୁରିକାଳୀନ ସେବା କେନ୍ଦ୍ରରେ ସୋମବାର ଜାନୁଆରୀ ୨୬ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ହେବା ସହ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଦମକଳ କେନ୍ଦ୍ର ଅଧିକାରୀ ତାପସ କୁମାର ମନ୍ତ୍ରୀ ଓ ‘ସମ୍ବାଦ-ଆମ ଓଡ଼ିଶା’ ରଗଡ଼ି ଶାଖାର ସଂଯୋଜକ ପୀତବାସ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ର ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ପ୍ରଶାନ୍ତ କୁମାର ବିଶ୍ବାଳ, ବରିଷ୍ଠ ଆଇନଜୀବୀ ବିବେକାନନ୍ଦ ମହାନ୍ତି, ‘ସମ୍ବାଦ’ ର ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ସମାଜ ସେବି ଅଜୟ କୁମାର ପଣ୍ଡା ଓ ‘ସମ୍ବାଦ-ସାହିତ୍ୟଘର’ ବ୍ରାହ୍ମଣୀଦେବୀ ଶାଖାର ସଭାପତି ଆର୍ତ୍ତଚରଣ ମଲ୍ଲିକ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜାନୁଆରି-୨୬ ଭଳି ପବିତ୍ର ଦିବସରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଯାଜପୁରରୋଡ଼ ଦମକଳ କେନ୍ଦ୍ରର ସମସ୍ତ ଅଗ୍ନିଯୋଦ୍ଧା ଓ ସ୍ଥାନୀୟ ରକ୍ତଦାତା ମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଶିବିରରୁ ୨୨ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିବା ବେଳେ ପ୍ରଥମ ତିନି ଜଣ ରକ୍ତଦାତା ଏକ ଘରୋଇ ସ୍କୁଲର ଶିକ୍ଷୟତ୍ରୀ ସ୍ବେଚ୍ଛାକୃତ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଥିଲେ। ସ୍ବେଚ୍ଛାସେବୀ ଜ୍ୟୋତିପ୍ରକାଶ ଭୂୟାଁ, ବିଭୂତି ଭୂଷଣ ବଳିୟାରସିଂ, ସଂଜୀବ କୁମାର ଜେନା, ଜିତେନ୍ଦ୍ର କୁମାର ସାହୁ ନୃସିଂହ ଚରଣ ଦାସ, ବିନୟ କୁମାର ରାଉତ, ନିହାର ରଂଜନ ରାଉତ, ସୌରଭ କୁମାର ଖୁଣ୍ଟିଆଙ୍କ ସହ ଦମକଳ କେନ୍ଦ୍ରର ଅଗ୍ନିଯୋଦ୍ଧା ମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *