ସମ୍ପାଦକୀୟ ଅପନ୍ତରା ରାଇଜ ଭକ୍ତ ବଳରାମ ଦାସ ଓ ଜଗନ୍ନାଥ ଚେତନାର ପୁନରୁଦ୍ଧାର
*ଓଡ଼ିଆ ଭକ୍ତି ସାହିତ୍ୟ ଓ ଜଗନ୍ନାଥ ଦର୍ଶନର ଇତିହାସ ଭକ୍ତ ବଳରାମ ଦାସଙ୍କ ନାମ ବିନା ଅଧୂରା। ପଞ୍ଚସଖା ଯୁଗର ଏହି ମହାନ ସାଧକ କେବଳ କବି କିମ୍ବା ଧାର୍ମିକ ଗ୍ରନ୍ଥକାର ନଥିଲେ; ସେ ଥିଲେ ଜଗନ୍ନାଥ ଚେତନାର ଏକ ସାହସୀ ସାମାଜିକ ଭାଷ୍ୟକାର। ପ୍ରଭୁ ଜଗନ୍ନାଥ, ମା ମହାଲକ୍ଷ୍ମୀ, ଗଜପତି ମହାରାଜ ଓ ଶ୍ରୀମନ୍ଦିରର ସେବାୟତ ପରମ୍ପରା ସହ ତାଙ୍କ ସମ୍ପର୍କ ଓ ଘଟଣାବଳୀ ଓଡ଼ିଆ ସାମାଜିକ ଚେତନାକୁ ଏକ ନୂଆ ଦିଗ ଦେଇଥିଲା।ଲୋକକଥା ଅନୁସାରେ, ବଳରାମ ଦାସ ଜଗନ୍ନାଥଙ୍କୁ କେବଳ ଦେବତା ଭାବେ ନୁହେଁ, ଏକ ସଜୀବ ସାମାଜିକ ଚେତନା ଭାବେ ଦେଖୁଥିଲେ। କୁହାଯାଏ—ସେ ଶ୍ରୀମନ୍ଦିରରେ ବସି ପ୍ରଭୁଙ୍କ ସହ ନିଜ ଦୁଃଖ–ସନ୍ଦେହ–ପ୍ରଶ୍ନ ନିର୍ବିଗ୍ନ ଭାବରେ କହୁଥିଲେ, ଯେପରି ଜଣେ ଭକ୍ତ ନିଜ ପ୍ରିୟ ସାଥୀ ସହ କଥାହୁଏ। ଏହି ସାହସ ତାଙ୍କୁ ସାଧାରଣ କବି ଠାରୁ ଭିନ୍ନ କରିଥିଲା।ଭକ୍ତ ବଳରାମ ଦାସଙ୍କ ସବୁଠାରୁ ସ୍ମରଣୀୟ କୃତି ‘ଲକ୍ଷ୍ମୀ ପୁରାଣ’ କେବଳ ଏକ ପୌରାଣିକ କଥା ନୁହେଁ; ଏହା ଏକ ସାମାଜିକ ବିପ୍ଳବ। ଏହି ଗ୍ରନ୍ଥରେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିର ଛାଡ଼ି ଯିବାର କାରଣ ହେଉଛି—ନିମ୍ନ ଜାତିର ମହିଳା ଶ୍ରୀୟା ଚଣ୍ଡାଳୁଣୀଙ୍କ ଅପମାନ। ଏହା ମାଧ୍ୟମରେ ବଳରାମ ଦାସ ସେବାୟତ ପରମ୍ପରା, ଜାତିଭେଦ ଓ ସାମାଜିକ ଅନ୍ୟାୟକୁ ପ୍ରଶ୍ନ କରିଥିଲେ। ଏହା ସେ ସମୟରେ ଅପୂର୍ବ ସାହସ ଥିଲା।ଲୋକକଥା କହେ—ଏହି ସାହସିକ ଦୃଷ୍ଟିକୋଣ ପାଇଁ କେତେକ ସେବାୟତ ଓ ଶାସନ ସହିତ ତାଙ୍କ ମତଭେଦ ହୋଇଥିଲା। ଗଜପତି ମହାରାଜଙ୍କ ଦରବାରରେ ମଧ୍ୟ ଏହି ଗ୍ରନ୍ଥକୁ ନେଇ ଆଲୋଚନା ହୋଇଥିବା ଉଲ୍ଲେଖ ମିଳେ। କୁହାଯାଏ—ଗଜପତି ମହାରାଜ ତାଙ୍କ ସାହସକୁ ସମ୍ମାନ କରିଥିଲେ, କିନ୍ତୁ ରୁଢ଼ିବାଦୀ ମନୋଭାବ ତାଙ୍କ ପଥକୁ କଷ୍ଟକର କରିଥିଲା।ଏହି ପରିପ୍ରେକ୍ଷିତରେ ମା ମହାଲକ୍ଷ୍ମୀଙ୍କ ଅଭିଶାପ ସମ୍ବନ୍ଧୀୟ ଲୋକକଥା ଉତ୍ପନ୍ନ ହୋଇଥିବା ଧାରଣା ରହିଛି। କୁହାଯାଏ—ସାମାଜିକ ସତ୍ୟକୁ ନିର୍ଭୟ ଭାବେ କହିଥିବାରୁ ସେ “ଅପନ୍ତରା ରାଇଜେ ମରି ପଡ଼ିଲେ। ଏହି ଲୋକକଥାକୁ ଆଧାର କରି ତାଙ୍କ ସମାଧି ସ୍ଥଳ ଦୀର୍ଘ ସମୟ ଧରି ଅବହେଳିତ ରହିଲା। କିନ୍ତୁ ଜଗନ୍ନାଥ ଦର୍ଶନର ମୂଳ ଆତ୍ମା କହେ—ସତ୍ୟ କେବେ ଅପନ୍ତରା ହୁଏନି।

‘ଦାଣ୍ଡି ରାମାୟଣ’ ମାଧ୍ୟମରେ ବଳରାମ ଦାସ ରାମକୁ ରାଜସି ନୁହେଁ, ମାନବୀୟ ମର୍ଯ୍ୟାଦାର ପ୍ରତୀକ ଭାବେ ପ୍ରତିଷ୍ଠା କରିଥିଲେ। ଏହା ମଧ୍ୟ ଜଗନ୍ନାଥ ଚେତନା ସହ ସମାନ—ଯେଉଁଠାରେ ଦେବତା ମନୁଷ୍ୟଙ୍କ ସହ ଚାଲନ୍ତି, କଥାହୁଅନ୍ତି, କଷ୍ଟ ବୁଝନ୍ତି।ଆଜି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଭକ୍ତ ବଳରାମ ଦାସ ସମାଧି ପୀଠ ଓ ସଂଲଗ୍ନ ଧାର୍ମିକ କ୍ଷେତ୍ରର ବିକାଶ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର ହେବା କେବଳ ଏକ ପ୍ରକଳ୍ପ ନୁହେଁ; ଏହା ଏକ ଐତିହାସିକ ପୁନର୍ମୂଲ୍ୟାଙ୍କନ। ଗଙ୍ଗେଶ୍ୱରୀ ଓ ଦକ୍ଷିଣେଶ୍ୱର ମନ୍ଦିର ସହ ଏକ ଧାର୍ମିକ–ସାଂସ୍କୃତିକ କରିଡୋର ଗଠନ ମାଧ୍ୟମରେ ବଳରାମ ଦାସଙ୍କ ଚେତନାକୁ ନୂଆ ପିଢ଼ି ସହ ଯୋଡ଼ାଯିବ।ଯାହାକୁ ଆମେ ଦୀର୍ଘଦିନ ଧରି “ଅପନ୍ତରା” ଭାବେ ଦେଖିଥିଲୁ, ସେହି ସ୍ଥାନ ଆଜି ଓଡ଼ିଆ ଅସ୍ମିତାର ଗର୍ବ ହେବାକୁ ଯାଉଛି। ଭକ୍ତ ବଳରାମ ଦାସଙ୍କ ଜୀବନ ଓ ସାଧନା ଆମକୁ ଏକ ଗଭୀର ସନ୍ଦେଶ ଦେଇଯାଏ—ଜଗନ୍ନାଥଙ୍କ ପଥରେ କେହି ଅପନ୍ତରା ନୁହେଁ; ସମତା, ନ୍ୟାୟ ଓ ମାନବୀୟ ମର୍ଯ୍ୟାଦା ହିଁ ସେହି ପଥର ସାର।- ପ୍ରଶାନ୍ତ ସ୍ବାଇଁ (ଲୁଲୁ)- ରାଜ୍ଯ ସଂପାଦକ – ବିଜେପି କୃଷକ ମୋର୍ଚ୍ଚା,
