ସବୁଠୁ ଭଲ ମୋ ରାଣୀ କଣ୍ଢେଇ
( Teddy Day ବା କଣ୍ଢେଇ ଦିବସ ରେ … ସ୍ଵତନ୍ତ୍ର ଉପସ୍ଥାପନା )
ସବୁଠୁ ଭଲ ମୋ ରାଣୀ କଣ୍ଢେଇ
🖊️କବିରତ୍ନ ନୂତନ କୁମାର ବେହେରା
ମନେ ପଡ଼େ ପିଲାଦିନର ସେ କଣ୍ଢେଇ ଖେଳ
ନିଜ ପରିସରେ ହସ ଖୁସି ଆଉ ସାଙ୍ଗ ସାଥି ମେଳ
ମନର କଥା ସବୁରି ସାଥେ ଗପୁଥିଲୁ ଅନର୍ଗଳ
ଜଣା ପଡ଼ୁ ନଥିଲା କଟି ଯାଉଥିଲା କେତେ ବେଳ।
ଏକାଠି ହୋଇ ଆମେ ସମ ବୟସର ଝିଅ ପୁଅ
ଖେଳୁଥିଲୁ ଖେଳ ଛୁଟୁଥିଲା ହସ କୌତୁକର ସୁଅ
ଆମ ସମସ୍ତଙ୍କୁ ବାନ୍ଧି ରଖିଥିଲା ଶରଧାର ଖିଅ
ସେ ଖେଳ ଭିତରେ କଣ୍ଢେଇ ବାହାଘର ଥିଲା ପ୍ରିୟ।
ସରଳ ମନରୁ ଆସୁଥିଲା ଯା’ ଚିହ୍ନୁଥିଲୁ ନାଁ ଦେଇ
ରାଜା କଣ୍ଢେଇ ରାଣୀ କଣ୍ଢେଇ ସଖୀ କଣ୍ଢେଇ
କେତେ କ’ଣ ସଂପର୍କ ଯୋଡ଼ି ମା’ ବାପା ଅଜା ଆଈ
କାହାକୁ ବର କାହାକୁ କନିଆଁ କରୁଥିଲୁ ସଜାଇ।
ନିଜ ଇଚ୍ଛାରେ ମାଟିରେ ଗଢ଼ି କେତେ କଣ୍ଢେଇ
ସୁନ୍ଦର କହି ଖୁସି ହେଉଥିଲି ସାଙ୍ଗମାନକୁ ଦେଖାଇ
ସେ ସବୁ କଣ୍ଢେଇରୁ ଗୋଟିଏକୁ ବାଛି ନେଇ
କହୁଥିଲୁ ଶୁଣାଇ ସବୁଠୁ ଭଲ ମୋ ରାଣୀ କଣ୍ଢେଇ।
ରାଣୀ କେମିତିକା ରୂପରେ ଗୁଣରେ ନଥିଲା ଜଣା
କେବେ ଦେଖି ନଥିଲୁ ଗପରୁ ହୋଇଥିଲା ଶୁଣା
ମନରୁ ଭାବୁଥିଲୁ ରାଣୀ ଯିଏ ପିନ୍ଧିଥିବ ସୁନା ଗହଣା
ମହଲରେ ରହୁଥିବ କିଛି ନ ଥିବ ତାର ଊଣା।
ପିଲାଦିନର ସେ ମିଛି ମିଛିକା କଣ୍ଢେଇ ବାହାଘର
ବୟସ କ୍ରମରେ ବୁଝିଲୁ ବାସ୍ତବତାର ଘର ସଂସାର
ସେ ଅନୁମାନ ଆଉ ଅନୁଭବ କଲେ ବିଚାର
ଜଣାପଡ଼େ ସେଇ ଭାବଧାରା ହୋଇଛି ରୂପାନ୍ତର।
ଅଦୃଷ୍ଟ ଈଶ୍ଵରଙ୍କ ସୃଷ୍ଟିରେ ଆମେ ବି ତ କଣ୍ଢେଇ
ଖେଳୁଛୁ ଖେଳାଉଛୁ ନିଜ ନିଜର ସାଧ୍ୟ ଅନୁଯାୟୀ
ଗଢ଼ିଛୁ ସଂସାର ହୃଦୟରୁ ଭଲ ପାଇବା ଦେଇ
କେବେ ହସରେ କେବେ ଲୁହରେ ଦିନ ବିତଇ।
ଫରକ୍ କେବଳ ଏତିକି ସେ କଣ୍ଢେଇ ଥିଲା ନିର୍ଜୀବ
ଆମେ କିନ୍ତୁ ଜୀବନ୍ତ ଖେଳୁଛୁ ମନରେ ରଖି ଭାବ
ସ୍ଵଭାବ ଭିତରେ ହିସାବ କରୁଛୁ ଦୂରେଇବାକୁ ଅଭାବ
ନିଜ ନିଜ ସାମର୍ଥ୍ୟ ଦକ୍ଷତାରେ ଅର୍ଜନ କରୁ ବିଭବ।
ଗଢ଼ିଛୁ ଘର ପତିପତ୍ନୀ ହାତ ଧରାଧରି ହୋଇ
ବିତିଛି କିଛି ଆଗକୁ ଅଛି ଯା’ ବାକି ଯିବା ତାକୁ ନେଇ
ସବୁକୁ ସୁନ୍ଦର କରି ପ୍ରିୟାକୁ ରଖିଲେ ସୁଖ ଦେଇ
ମନ ପ୍ରାଣ କହିବ ସବୁଠୁ ଭଲ ମୋ ରାଣୀ କଣ୍ଢେଇ।
କୋହି,ବାରିପଦା,ମୟୂରଭଞ୍ଜ।
