୧୭ତମ ବାର୍ଷିକ ଉତ୍ସବ
ପୁରୁଷୋତ୍ତମପୁର (୧୦/୨): ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର-ସ୍ଥାନୀୟ ହିନ୍ଦୀ ପ୍ରଚାର ସଭା ଠାରେ ଗଂଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ୧୭ତମ ବାର୍ଷିକ ଉତ୍ସବ ସଭାପତି ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ୱରେ ଉତ୍ସାହ ଓ ଶୃଙ୍ଖଳାର ସହ ପାଳନ କରାଯାଇଛି। ଏହି ସମ୍ମିଳନୀରେ ବିଭିନ୍ନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ଯଥା କୋଦାଳ,ବ୍ରହ୍ମପୁର, ପୋଲସରା ଓ କବିସୂର୍ଯ୍ୟନଗର ଅଂଚଳରୁ ଆସିଥିବା ଅନେକ ଅବସର ପ୍ରାପ୍ତ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ନାଗରିକ ସଂଘର ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା ଏବଂ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି ବେହେରା ଓ ବରିଷ୍ଠ ନାଗରିକ ସଂଘର ଜିଲ୍ଲା ସଭାପତି ଦୀପକ କୁମାର ସାହୁ ମଞ୍ଚାସୀନ ଥିଲେ। ମୁଖ୍ୟ ବକ୍ତା ଶ୍ୟାମସୁନ୍ଦର ଖାଡ଼ଙ୍ଗା ସଂଘର ମୂଳ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅଧିକାର ସୁରକ୍ଷା,ସାମାଜିକ ସୁରକ୍ଷା ଏବଂ ସମ୍ମାନଜନକ ଜୀବନ ନିଶ୍ଚିତ କରିବା ଏହି ସଂଘର ପ୍ରମୁଖ ଲକ୍ଷ୍ୟ। ପେନ୍ସନ,ସ୍ୱାସ୍ଥ୍ୟ ସୁବିଧା,ସରକାରୀ ଯୋଜନା ସହ ଜଡିତ ବିଭିନ୍ନ ସମସ୍ୟା ବିଷୟରେ ସଦସ୍ୟମାନଙ୍କୁ ସଚେତନ କରି ସେଗୁଡିକୁ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରାଯାଉଛି ବୋଲି ସେ କହିଥିଲେ। ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ କହିଥିଲେ ଯେ ସଂଘ ମାଧ୍ୟମରେ ବରିଷ୍ଠ ନାଗରିକମାନେ ପରସ୍ପର ସହଯୋଗ,ଅନୁଭବ ବିନିମୟ ଓ ସାମାଜିକ ସଂପୃକ୍ତତା ଲାଭ କରି ମାନସିକ ଓ ସାମାଜିକ ଭାବେ ନିଜକୁ ସକ୍ରିୟ ରଖୁଛନ୍ତି। ଆଜିର ଏହି ଉତ୍ସବରେ ସ୍ଥାନୀୟ ସଂଘର ଉପସଭାପତି ଏ.ରାଜୁ ଗୋପାଳ ରାଓ, ସମ୍ପାଦକ ହରିହର ପଣ୍ଡା, ସହ ସମ୍ପାଦକ ମୋଚିରାମ ଦାଶ, କୋଷାଧକ୍ଷ ମନମୋହନ ତ୍ରିପାଠୀ ସହିତ ପୂର୍ବତନ ସଭାପତି ଜଟେଶ୍ୱର ମହାପାତ୍ର,ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ପୁରୁଷୋତ୍ତମପୁର ସଂଘରେ ୧୬୦ରୁ ଅଧିକ ସକ୍ରିୟ ସଦସ୍ୟ ରହିଛନ୍ତି। ବରିଷ୍ଠ ନାଗରିକ ମାନେ ଏକତ୍ରିତ ହୋଇ ଏହି ସୁନ୍ଦର ପୋଗ୍ରାମ କରିଥିବାରୁ ପୁରୁଷୋତ୍ତମପୁର ଜନସାଧାରଣ ଆନନ୍ଦରେ ବିମୋହିତ ହୋଇଥିଲେ | ଶେଷରେ ବରିଷ୍ଟ ନାଗରୀଙ୍କ ସହିତ ସାମ୍ବାଦିକ ଏବଂ ଜନସାଧାରଣ ଏକତ୍ରିତ ହୋଇ ପ୍ରସାଦ ସେବନ କରି ଆନନ୍ଦ ଉଲ୍ଲାସ ରେ ନିଜ ନିଜ ଘରକୁ ଫେରିଥିଲେ |
