ଏକାଠି ଜୀଇଁବା ଏକାଠି ମରିବା

   ଏକାଠି ଜୀଇଁବା ଏକାଠି ମରିବା–୨
                  
   ✍️କବିରତ୍ନ ନୂତନ କୁମାର ବେହେରା

ମଧୁମୟ ପ୍ରେମର ଭବ ସାଗର କୂଳେ
ଭଲ ପାଇବାର ବେଳାଭୂମିରେ ବସି
ଯେଉଁ ଦିନ ତୁମେ କହିଲ ପ୍ରତିଜ୍ଞା କରି
” ଏକାଠି ଜୀଇଁବା ଏକାଠି ମରିବା “
ପୂର୍ଣ୍ଣ ପ୍ରାଣରେ ମୁଁ ତୁମର ହୋଇଗଲି
କଳ୍ପନାକୁ ଦୁହେଁ ରୂପ ଦେଲୁ ବାସ୍ତବତାରେ
ହୋଇ ଜୀବନ ସାଥୀ ଆମେ ପରସ୍ପର
ଗଢ଼ିଲୁ ହସ ଖୁସିର ସୁନ୍ଦର ନୀଡ଼
ମୁକ୍ତ ଆକାଶରୁ ଉଡ଼ି ଉଡ଼ି ଆସି ଉଭୟେ
ଆଶ୍ରିତ ହେଲୁ ସଂସାରର ବୃକ୍ଷ ଡାଳେ
ଜୀବନେ ଆମର ଆସିଛି ବହୁ ଝଡ଼
ଖରା ବର୍ଷା ଶୀତର କଷଣ ସହି ସବୁ
ଆଗକୁ ବଢ଼ିଛୁ ପଛକୁ ହଟିନୁ ଜମା
ମୋ ହାତ ଧରି ଆଣିଛ ତୁମେ ବହୁ ବାଟ
ସଂକଟାପନ୍ନ ଦୁର୍ଗମ କଣ୍ଟକିତ ପଥରେ ମଧ୍ୟ
ଦେଇଛ ହୃଦୟରୁ ଅଗାଧ ପ୍ରେମ ଢ଼ାଳି
ଦେଇ ନାହଁ ସହିବାକୁ ଟିକିଏ ମଧ୍ୟ ଆଘାତ
ପ୍ରତି ମୁହୂର୍ତ୍ତର ପ୍ରତିଟି ସ୍ପନ୍ଦନରେ ମୁଁ
ଅନୁଭବ କରିଛି ତୁମକୁ ତୁମ ଭଲ ପାଇବାକୁ
ଭାବିଛି ତୁମେ ନୁହଁ ସାମନ୍ୟ ମଣିଷ
ମଣିଷ ରୂପରେ ତୁମେ ଦେବତା ମୋର
ଆରାଧ୍ୟ ଭାବରେ ଆରାଧନା କରି ଆସୁଛି
ପାଇଛି ନାରୀ ଜନ୍ମର ଯେତେ ସାର୍ଥକତା
ପରିପୂର୍ଣ୍ଣ ହୋଇଛି ଆମ ଘର ସଂସାର
ତୁମ ତ୍ୟାଗ ଆଦର୍ଶକୁ କରିଛି ମୁଁ ଅନୁସରଣ
ମୋତେ ଖୁସି କରି ଓଠରେ ଦେବାକୁ ହସ
ବହୁତ ବଢ଼େଇ ବହୁବାର କର ବହୁ ପ୍ରଶଂସା
କଥା କଥାରେ କହିଛ ମୁଁ କାଳେ ଆଦିଶକ୍ତି
ସର୍ବଂସହା ପବିତ୍ର ଧରିତ୍ରୀ ପରି ସହେ
ମୋ ପ୍ରେମର ସାନ୍ନିଧ୍ୟରେ ତୁମେ ସଫଳ ପୁରୁଷ
ମୋ ପ୍ରୀତିର ପରଶେ ତୁମେ ପହଞ୍ଚିଛ ଶୀର୍ଷ
ସବୁଠୁ ଭଲ ଗୁଣ ତୁମର ତୁମେ ଶାନ୍ତ ନମ୍ର
ତୁମ ଆଦର୍ଶ ଚରିତ୍ରରେ ହୁଏ ମୁଁ ତୃପ୍ତ ସନ୍ତୁଷ୍ଟ
ଅହେତୁକ ପାର୍ଥିବ କାମନା ପ୍ରତି ନାହିଁ ମୋହ
ବୁଝ ତୁମେ ବାସ୍ତବ ଜଗତର ଚିରନ୍ତନ ସତ୍ୟକୁ
ମଣିଷ ରୂପରେ ସଂସାରରେ ନେଇଛୁ ଜନ୍ମ
ସମାଜରେ ସବୁରି କଲ୍ୟାଣ କରିବାକୁ
ଈଶ୍ୱର ଦେଇଛନ୍ତି ଆମକୁ ସୁବର୍ଣ୍ଣ ସୁଯୋଗ
ନାହିଁ ତୁମର ଆତ୍ମଗର୍ବ ଅଭିମାନ କି ଆଡ଼ମ୍ବର
ଦେବତୁଲ୍ୟ ତୁମେ ଉଦାର ଭଦ୍ର ଚରିତ୍ରବାନ
ତୁମକୁ ପାଇ ହୋଇଛି ମୁଁ ଏ ଜୀବନରେ ଧନ୍ୟା
ତୁମକୁ ଛାଡ଼ି ନାହିଁ ମୋର ସ୍ଥିତି ଗତି ମୁକ୍ତି
ଜୀବନର ଶେଷ ଯାଏଁ ସତ ହେଉ ତୁମ କଥା
” ଏକାଠି ଜୀଇଁବା ଏକାଠି ମରିବା…”।

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
     ନବସୃଜନ ଇ-ପତ୍ରିକା,

  କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *