ହସି ଦିଅ ବନ୍ଧୁ

   ହସି ଦିଅ ବନ୍ଧୁ

   🖊️କବିରତ୍ନ ନୂତନ କୁମାର ବେହେରା

ହସି ଦିଅ ବନ୍ଧୁ…..
ମନରେ ରଖନା ଆଉ ଗ୍ଳାନି
ହୁଅନା ତୁମେ ଅଭିମାନୀ
ପ୍ରାଣକୁ ତୁମର କର ପୁଲକିତ
ହୃଦୟ ହେଉ ଶାନ୍ତ
ଜୀବନର ରାସ୍ତା ତ ଧୂଳି ଧୂଆଁରେ ପରିପୂର୍ଣ୍ଣ
ଏଇ ଅଛି ପୁଣି ନଥିବ ତାର ଚିହ୍ନବର୍ଣ୍ଣ
ପୁଣି ଘେରି ରଖେ ମାୟା ମୋହ
ପଡ଼ିଲେ ଭ୍ରମରେ ତାର ବହେ ଆଖି ଲୁହ
ଘନ ଘନ ମସ୍ତିଷ୍କ ହୁଏ ବିଭ୍ରାଟ
ବିରକ୍ତି ଭାବରେ ଆସେ ସଂକଟ
କ୍ଳାନ୍ତ ଅବସନ୍ନ ଦେହରୁ ନିଗିଡ଼େ ଝାଳ
ଭାଙ୍ଗିଯାଏ ମନୋବଳ
ଅଙ୍ଗର ରଙ୍ଗ ଦିଶେ ମଳିନ
ଅନ୍ଧ ହେବା ନାହିଁ ଖୋଜିବାରେ ଧନ ରତ୍ନ
ଆଶାର ଉଆସରେ ଜମିଯିବ ଅଳନ୍ଧୁ
ହସି ଦିଅ ବନ୍ଧୁ……
ତୁମକୁ ବୁଝାଇବି ଅଧିକ କ’ଣ ଆଉ
ସଂପର୍କ ଆମର ଅମ୍ଳାନ ରହୁ
ତୁମେ ତ ବିଜ୍ଞ ଅଭିଜ୍ଞ
ଅନୁଷ୍ଠିତ କର ଜୀବନ ଯଜ୍ଞ
ତୁମେ ଗୁଣୀ ଜ୍ଞାନୀ ବିବେକବାନ
ଅକ୍ଷୁର୍ଣ୍ଣ ରଖ ତୁମର ସ୍ଵାଭିମାନ
ବଜାଇ ରଖିବା ବନ୍ଧୁତା
ଅଧିକ କହିବା ହେବ ମୋର ଧୃଷ୍ଟତା
ତୁମେ ତ ହୃଦୟବାନ ବନ୍ଧୁପ୍ରେମୀ
ଜଣେ କର୍ତ୍ତବ୍ୟନିଷ୍ଠ ସଚ୍ଚାକର୍ମୀ
ଜାଣିଛ ତୁମେ ଶିଷ୍ଟାଚାର ଶାଳୀନତା କ’ଣ
ହେଉନି ମୁଁ ଭାବପ୍ରବଣ
କହୁଛି ବାସ୍ତବତାର ନିଚ୍ଥକ୍ କଥା
ହୃଦୟରୁ ଦୂର ହୋଇଯିବ ଯେତେ ବ୍ୟଥା
ବନ୍ଧୁ ଯେ ଭାବର ସିନ୍ଧୁ
ହସି ଦିଅ ବନ୍ଧୁ…….
କ’ଣ ପାଇଁ… କ’ଣ ପାଇଁ ଏ ଉଦାସୀନତା
ମନରେ ନାହିଁ ତୁମର ସରସତା
ଜୀବନ ତ ଜିଇଁବାକୁ ହେବ
ସଂଗ୍ରାମ କରୁଛୁ କରିବାକୁ ପଡ଼ିବ
ହାରିବା ଜିତିବାର ବାଜିରେ ନହୋଇ ବିବ୍ରତ
ବିଚାର କରି ବୁଝିବା କ’ଣ ସତ
ରଖିବାକୁ ହେବ ସଂକଳ୍ପ
ବଞ୍ଚିବା ବ୍ୟତୀତ ଅଛି କି କିଛି ବିକଳ୍ପ
ପଙ୍କ ହୋଇ ବି ଦୁର୍ଗନ୍ଧଯୁକ୍ତ ଦୂଷିତ
ତା’ ଭିତରୁ ବାହାରି ପଦ୍ମ ହୁଏ ପ୍ରସ୍ଫୁଟିତ
ଦୁଃଖ ଭିତରୁ ତ ଝରେ ଭାବ ପ୍ରୀତିର ଅମୃତ
ଏଇଥି ପାଇଁ ତ ମଧୁର ସଂପର୍କ ବାନ୍ଧୁ
ହସି ଦିଅ ବନ୍ଧୁ…….।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
    କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *