ଜଳ ଯନ୍ତ୍ରଣାରେ ଛଟପଟ ଗ୍ରାମବାସୀଙ୍କ ବ୍ଳକ ସମ୍ମୁଖରେ ଧାରଣା, ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ
ଗଣିଆ -ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି । ଆଗକୁ ନିଆଁ ବର୍ଷିବ ଏଥିରେ ସନ୍ଦେହ ନାହିଁ । ଦିନକୁ ଦିନ ଜଳସ୍ତର କମିବାକୁ ଲାଗିଥିବାରୁ ଜଳସଙ୍କଟ ଦେଖାଦେଲାଣି । ଗଣିଆ ବ୍ଳକ ଛାମୁଣ୍ଡିଆ ପଞ୍ଚାୟତ ଘାଟିଆ ସାହିରେ ଦୀର୍ଘ ଦିନ ହେବ ଜଳ ସମସ୍ୟା ଲାଗି ରହିଛି । ପାନୀୟ ଜଳ ଟୋପେ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହିଳାମାନେ ଦୂରଦୂରାନ୍ତରରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ଗ୍ରାମରେ ଥିବା ନଳକୂପଟି ଅଚଳ ହୋଇ ପଡ଼ିରହିଛି । ଏ ନେଇ ସେମାନେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ବି ଫରକ ପଡୁନାହିଁ । କେହି ବି ତାଙ୍କ ଅଭିଯୋଗ ଶୁଣିଲେ ନାହିଁ । ପାଣିଟୋପେ ପାଇଁ ଅଫିସର ମାନଙ୍କୁ ନେହୁରା ହେଲୁ କିନ୍ତୁ କେହି ଆମ ଦୁଃଖ ବୁଝିଲେନି। ଜଳ ଯନ୍ତ୍ରଣା ଅସହ୍ୟ ହେବାରୁ ସେମାନେ ମଙ୍ଗଳବାର ଗଣିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଥିଲେ । ବିଭାଗୀୟ ଅଧିକାରୀଙ୍କ ଅପାରଗତା ଏବଂ ପଞ୍ଚାୟତର ଅସହଯୋଗକୁ ସେମାନେ ଦାୟୀ କରିଥିଲେ । ତେବେ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଦୁଇ ଦିନ ଭିତରେ ଗ୍ରାମରେ ଥିବା ଜଳସଙ୍କଟର ସମାଧାନ କରିବାକୁ ପ୍ରତିଶୃତି ଦେବାରୁ ଧାରଣା ହଟିଥିଲା । ତେବେ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆନ୍ଦୋଳନ ଆଗକୁ ତିବ୍ରତର ହେବ ବୋଲି ଗ୍ରାମର ମହିଳା ମାୟା ଦଳେଇ ପ୍ରକାଶ କରିଛନ୍ତି । ଏପରିକି ଗ୍ରାମରେ ଗୋଟିଏ ନୂତନ ନଳକୂପ ଖନନ କରିବା ସହିତ ସୋଲାର ପ୍ରକଳ୍ପ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି ।
