ହୋଲିରେ ହୋଲି ….
ହୋଲିରେ ହୋଲି ….
🖊️କବିରତ୍ନ ନୂତନ କୁମାର ବେହେରା
ହୋଲି ରେ ହୋଲି……
ଆସୁ ତୁ ରଙ୍ଗର ପସରା ମେଲି
ଫୁଟେ ଫୁଲ ତା’ କଅଁଳ ପାଖୁଡ଼ା ମେଲି
ସେ ଫୁଲେ ଫଗୁଣ ସଜାଇ ହୋଇ
ଦିଶେ ରୂପସୀ ନବ ନହୁଲି
ରଙ୍ଗ ତା’ର ଯାଏ ଚହଟି
ଋତୁରାଜ ବସନ୍ତ ଦେଖେ ଆଖି ଖୋଲି
ସାଜି ସେ ପ୍ରେମିକ ନିଭାଏ ଭୂମିକା
ଦର୍ଶକେ ହୋଇ ଅଭିଭୂତ
ବିଧୁର ପ୍ରାଣର ଦହନ ଯା’ନ୍ତି ଭୁଲି
ହୋଲି ରେ ହୋଲି…….
ଯେତେ ରଙ୍ଗ ଅଛି ମିଶିଯାଏ ମନେ
ତନୁଲତାରେ ଲଗାଇ ଆଙ୍କେ ରଙ୍ଗୋଲୀ
ସବୁ ରଙ୍ଗଠାରୁ ପ୍ରେମର ରଙ୍ଗ ବେଶି ଗାଢ଼
ଛାଡ଼େନା ଅଙ୍ଗରୁ ଦିଶେ ନାଲି ନାଲି
ରଙ୍ଗରେ ବିମୁଗ୍ଧ ହୋଇ କୋଇଲି
ପଞ୍ଚମ ତାନରେ ତୋଳେ ରାଗ ରାଗିଣୀ
ପେନ୍ଥା ପେନ୍ଥା ଆମ୍ଵ ଡାଳରୁ ଓହଳି
ମଳୟରେ ନାଚେ ଝୁଲି ଝୁଲି
ବିଧୁର ଜନ ପ୍ରେମେ ଯାଏ ସବୁ ଭୁଲି
ହୋଲି ରେ ହୋଲି…….
ବାସ ନଥାଇ ବି ଶିମିଳି ପଳାସ ଫୁଲ
ବିଭୋରେ ଉଠନ୍ତି ଦୋହଲି
ପତ୍ରଝଡ଼ା ବୃକ୍ଷର ଶିରାଳ ଶାଖ ପ୍ରଶାଖା
ନବ ପଲ୍ଲବରେ ହୁଅନ୍ତି ପଲ୍ଲବିତ
ମୁରୁକି ମୁରୁକି ହସୁଥାନ୍ତି ମନ ଖୋଲି
ଶ୍ରୀରାଧାକୃଷ୍ଣ ଯୁଗଳ ମିଳନ
ପୂଜା ଅର୍ଚ୍ଚନାରେ ଭକ୍ତି ପ୍ରେମ ଢ଼ାଳି
ନାମ ସଂକୀର୍ତ୍ତନେ ଶ୍ରଦ୍ଧାଳୁ ଭକତ ନାଚେ
ଜୀବନରେ ବୋଳିହୁଏ ରଙ୍ଗ ଅସଲି
ହୋଲି ରେ ହୋଲି…….
ଆସେ ହୋଲି ପୁଣି ଯାଏ ଚାଲି
ସ୍ମୃତି ତାର ହୃଦୟ ରଖିଥାଏ ସାଇତି
ପ୍ରେମର ଭାବ ହୁଏନା ଭୁଲି
ହୋଲିର ରଙ୍ଗ କରିଦିଏ ରଙ୍ଗୀନ
ପ୍ରେମ ବିନା ଲାଗେ ସବୁ ଖାଲି ଖାଲି
ହୋଲି ଦିଏ ପ୍ରେରଣା କରାଏ ସଜାଗ
ସତ୍ୟ ହିଁ ପ୍ରେମ ଆଉ ଯେତେ ମିଛ ନକଲି
ଲୋଭ ମୋହ ମାୟା ଯିବା ଭୁଲି
ସୁନ୍ଦର ଜୀବନ ଗଢ଼ି ହସିବା ମନ ଖୋଲି
ହୋଲି ରେ ହୋଲି…….।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।
