ଦୋଳ ପୂର୍ଣ୍ଣିମା
ଦୋଳ ପୂର୍ଣ୍ଣିମା
ଡ. ପ୍ରେମାନନ୍ଦ ବେହେରା
ଫଗୁଣର ଶେଷ ରାତିରେ
ଚାନ୍ଦ ହସେ ଆକାଶ କୋଳେ
ରଙ୍ଗରେ ଭିଜେ ପୃଥିବୀ ଆଜି
ପ୍ରେମର ଅନନ୍ତ କୋଳେ ।।
ପବନେ ମଧୁର ବାସନା ଆସେ
ଆମ୍ବ ବଉଳର ସୁଗନ୍ଧ ଭରା
ଗାଁ ଦାଣ୍ଡରେ ଢୋଲ ନିଶାନ
ମନକୁ କରେ ଉଲ୍ଲାସ ଭରା ।।
ଦୋଳ ମଣ୍ଡପେ ବସିଛନ୍ତି ଆଜି
ରାଧା ଓ କୃଷ୍ଣ ହସି
ଅବିର ଲଗାଇ ପ୍ରେମର ରଙ୍ଗେ
ମନୁଷ୍ୟ ହୃଦୟ ଯାଏ ରସି ।।
ଶଙ୍ଖ ଧ୍ୱନିରେ କମ୍ପି ଉଠେ
ପବିତ୍ର ଗାଁର ପଥମାନ
ପିଚକାରୀର ରଙ୍ଗ ଧାରାରେ
ମିଶିଯାଏ ଦୁଃଖ ଓ ଅଭିମାନ ।।
ଚାନ୍ଦନୀ ରାତି ସାକ୍ଷୀ ହୋଇ
ପ୍ରେମର ଗୀତ ଗାଏ ଧୀରେ
ଫାଗୁଣ କହେ “ଭୁଲିଯାଅ ଦୁଃଖ
ଆସ ମିଶିବା ରଙ୍ଗର ନୀରେ ।”
ଝୁଲୁଛି ଦୋଳେ ଭକ୍ତିର ଭାବ
ପ୍ରାଣେ ଜାଗେ ନୂତନ ଆଶା
ପୁରୁଣା ବିରହ ହଜିଯାଏ
ମିଳନର ମଖମଲି ଭାଷା ।।
କେଉଁଠି କୀର୍ତ୍ତନ, କେଉଁଠି ଭଜନ
କେଉଁଠି ହସର ମଧୁର ରବ
ଦୋଳ ପୂର୍ଣ୍ଣିମା ଆଣେ ସାଙ୍ଗେ
ସମ୍ପ୍ରିତି ସୁନା ଅଭିଷେକ ଭାବ ।।
ଏ ରାତି କେବଳ ରଙ୍ଗର ନୁହେଁ
ଏ ରାତି ହୃଦୟ ମିଳନର
ମାନବତାର ଦୀପ ଜଳାଅ
ସମ୍ବନ୍ଧର ପବିତ୍ର ସ୍ମରଣର ।।
ଆସ ଆମେ ହସି ଗାଇ
ଭୁଲିଯିବା ସବୁ ବିରହ ବେଦନା
ଦୋଳ ପୂର୍ଣ୍ଣିମାର ଚନ୍ଦ୍ର ଆଲୋକେ
କାଗୁ ପ୍ରେମର ନୂଆ ଭାବନା ।।
ରଙ୍ଗ ଲଗାଅ ହୃଦୟରେ
କଥା ହୋଇ ମିଠା ମିଠା
ଦୋଳ ପୂର୍ଣ୍ଣିମା ଆସି କହେ
“ପ୍ରେମ ହି ଜୀବନର ସତ୍ୟ ପଥଟା ।”
ପଦ୍ମପୁର, ବରଗଡ଼
