ହୋଲି ଆସୁ ସଦ୍ଭାବ ନେଇ

ହୋଲି ଆସୁ ସଦ୍ଭାବ ନେଇ
ଡ. ପ୍ରେମାନନ୍ଦ ବେହେରା

ହୋଲି ଆସୁ ସଦ୍ଭାବ ନେଇ
ରଙ୍ଗରେ ରଙ୍ଗାଇ ହୃଦୟ ପଥେ
ଦୁଃଖର ଧୂଳି ଧୋଇ ଦେଇ
ସ୍ନେହର ନିର୍ମଳ ଜଳରେ ।।

ଆଜି ଦ୍ୱେଷର ଦ୍ୱାର ବନ୍ଦ ହେଉ
ମନର ଝରକା ଖୋଲି ଯାଉ
ପ୍ରେମର ପିଚକାରୀରେ ସମ୍ପର୍କ
ସାତ ରଙ୍ଗରେ ଫୁଲି ଯାଉ ।।

ହୋଲିର ରଙ୍ଗିନ ପ୍ରଭାତେ
ନବ ଆଶାର ଅରୁଣ ରେଖା
ମିଳନର ମଞ୍ଚରେ ହସିଉଠୁ
ଭାଇଚାରାର ସୁମଧୁର ଭାବ ।।

ଘୃଣାର ଗାଢ଼ କଳାଛାୟା
ଆଜି ରଙ୍ଗରେ ହେଉ ହରା
ସତ୍ୟ ଓ ସଦ୍ଭାବର ଆଲୋକେ
ମନୁଷ୍ୟତା ହେଉ ଉଜ୍ଜ୍ୱଳ ତାରା ।।

ଗାଁର ମଝିରେ ହସର ରବ
ସହରର ଗଳିରେ ରଙ୍ଗ ଝରେ
ପୁରୁଣା ଦୁଃଖ ଭୁଲି ସବୁଠି
ସ୍ନେହର ଦୀପ ଜଳେ ଘରେ ଘରେ ।।

ସମ୍ମାନ ହେଉ ସବୁଠାରୁ ବଡ଼
ଧର୍ମ-ଜାତିରେ ନ ହେଉ ଭେଦ
ମାନବତାର ମହାପର୍ବ ହୋଇ
ହୋଲି ଦେଉ ଶାନ୍ତିର ବେଦ ।।

ରଙ୍ଗ ନୁହେଁ କେବଳ ଗୁଲାଲ
ଏହା ହେଉ ଆଶାର ସୂତା
ଯେଉଁଥିରେ ବାନ୍ଧି ରହିବ
ମିତ୍ରତାର ଅମର ଗୀତା ।।

ହୋଲି ଆସୁ ସଦ୍ଭାବ ନେଇ
ଅଭିମାନ ହେଉ ଦୂର ସରି
ମନରେ ଫୁଟୁ ପଳାଶ ଫୁଲ
ସ୍ନେହର ଅଗ୍ନି ହେଉ ଜଳି ।।

ସମ୍ପର୍କର ସବୁ ଭଙ୍ଗା ସୂତା
ପୁଣି ଆଜି ଯୋଡ଼ା ହେଉ
ହସର ରଙ୍ଗରେ ଲେଖା ହୋଇ
ପ୍ରେମର ନୂଆ ପାଠ ଗାଉ ।।

ହୋଲି ଆସୁ ସଦ୍ଭାବ ନେଇ
ମାନବତାର ମହାସନ୍ଦେଶ,
ପ୍ରେମ, କ୍ଷମା ଓ ଶାନ୍ତିର ସୁରେ
ଭରିଯାଉ ସମସ୍ତ ଦେଶ ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *