ଦୋଳ ବିମାନରେ ଦୋଳଗୋବିନ୍ଦ

     ଦୋଳ ବିମାନରେ ଦୋଳଗୋବିନ୍ଦ
             ( ରାଗ — ଚକ୍ରକେଳି )

  🔹କବିରତ୍ନ ନୂତନ କୁମାର ବେହେରା

ଦୋଳ ବିମାନରେ’ ଦୋଳଗୋବିନ୍ଦ’,
          ହୋଲି ଖେଳୁଛନ୍ତି’ ନନ୍ଦର ନନ୍ଦ’।
ଘୁଞ୍ଚିଯାଏ ମନୁଁ କପଟ ଛନ୍ଦ,
     ସାରା ସଂସାରରେ’ ଖେଳେ ଆନନ୍ଦ’।
ରାଧାରାଣୀ ସଙ୍ଗେ କହ୍ନେଇ ରାଜା,
             କରୁଛନ୍ତି ରାସ ବଜାଇ ବାଜା।
ବଂଶୀ ସ୍ଵର ଶୁଭେ ଭୂମିରୁ ଭୂମା,
            ଶ୍ରବଣେ ପ୍ରଶାନ୍ତି ଲଭଇ ଆତ୍ମା।       
ଅପ୍ରାକୃତ ପ୍ରେମୀ ଯୁଗଳ ମୂର୍ତ୍ତି,
            ବ୍ରହ୍ମାଣ୍ଡେ ତାଙ୍କର ଅମର କୀର୍ତ୍ତି।
ରାଇ ଦାମୋଦର ସୁନ୍ଦର ବେଶ,
          ଦେଖିଲେ ନୟନେ ମନ ଉଲ୍ଲାସ।
ତ୍ରିଭୁବନେ ଦେବ ଠାରୁ ମାନବ,
           ହୋଲିରେ କରନ୍ତି ଶ୍ରମ ଲାଘବ।
ବସନ୍ତେ ଫଗୁଣ ଆଣିଛି ହୋଲି,
           ପରିବେଶ ହସେ ଯେ ଖିଲିଖିଲି।
ସାତ ରଙ୍ଗ ପଡ଼େ ଅଙ୍ଗେ ବରଷି,
             ଭକ୍ତି ଚିତ୍ତେ ଭକ୍ତ ହୁଅନ୍ତି ଖୁସି ।
କାନ୍ଧରେ ବିମାନ ଶ୍ରଦ୍ଧାରେ ବୋହି,
             ପ୍ରେମ ପ୍ରକାଶନ୍ତି ନାଚଇ ମହୀ।
ଦୋଳ ପୂର୍ଣ୍ଣିମାରେ ଦୋଳଗୋବିନ୍ଦ,
              ହରଷେ ବୁଝାନ୍ତି ଜୀବନ ଛନ୍ଦ।
ପଥେ ପଥେ ଫୁଲ ବିଛାଇ ଦେଇ,
             ରାଧାକୃଷ୍ଣ ନାମ ଯାଆନ୍ତି ଗାଇ।
ଘରକୁ ଘର ଯେ ବୁଲେ ବିମାନ,
            ଭକ୍ତି ଭାବେ ଭକ୍ତ ରହେ ପ୍ରସନ୍ନ।
ବାଜେ ଖୋଳ ଝାଞ୍ଜ ହୁଏ କୀର୍ତ୍ତନ,
            ନାଚି ନାଚି ଭକ୍ତ କରେ ଦର୍ଶନ ।
କରତାଳି ସଙ୍ଗେ ଯେ ହରିବୋଲ,
            ସ୍ତୁତି କରି ସର୍ବେ ଖୋଜନ୍ତି ଭଲ।
ହୋଲି ଖେଳି ପ୍ରଭୁ ରାଧାରମଣ,
              ଚରଣେ ରଖନ୍ତୁ ଦେଇ ଶରଣ।
ରାଧାକୃଷ୍ଣ ବେନି ଆଦର୍ଶ ପ୍ରେମୀ,
           ଜଗତ ଜୀବନେ ମଙ୍ଗଳ କାମୀ।
ପ୍ରେମର ପ୍ରତୀକ ହୋଇ ଶ୍ରୀକୃଷ୍ଣ,
                 ଭକ୍ତର ସଦିଚ୍ଛା କରନ୍ତି ପୂର୍ଣ୍ଣ।
ରଙ୍ଗର ପରବ ଆସିଛି ହୋଲି,
          ଭେଦାଭେଦ ସବୁ ଯିବାରେ ଭୁଲି।
ଭାଇଚାରା ରଖି କାଟିବା କାଳ,
           ମଧୁର ସମ୍ପର୍କେ ହୋଇବା ମେଳ।
ହୋଲିର ବାରତା ରଖି ହୃଦୟେ,
             ସୁଗମ ପଥରେ ଯିବା ନିର୍ଭୟେ।
ଦୋଳ ବିମାନରେ ଦୋଳଗୋବିନ୍ଦ,
              ହୋଲି ଖେଳୁଛନ୍ତି ପରମାନନ୍ଦ।
                          
    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *