ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟା ନେଇ ୧୨ ଘଣ୍ଟିଆ ବଜାର ବନ୍ଦ

ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟା ନେଇ ୧୨ ଘଣ୍ଟିଆ ବଜାର ବନ୍ଦ


ଶରଣକୁଳ,୫।୩/୨୬ ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶରଣକୁଳ ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଛି। ଏହାର ସମାଧାନ କରିବା ପାଇଁ ଶରଣକୁଳ ବିକାଶ ମଞ୍ଚ ତରଫରୁ ନୟାଗଡ଼ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବରେ ଅବଗତ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଯାଇନଥିବାରୁ ୫ ତାରିଖ ଗୁରୁବାର ଦିନ ଶରଣକୁଳ ବିକାଶ ମଞ୍ଚର ଆହ୍ଵାନ କ୍ରମେ ୧୮ ଗୋଟି ପଞ୍ଚାୟତର ଜନସାଧାରଣ ମିଳିତ ଭାବେ ଏହି ବନ୍ଦକୁ ସଫଳ କରିବା ପାଇଁ ଆଗେଇ ଆସିଥିଲେ। ଶରଣକୁଳ ବଣିକ ସଂଘ ମଧ୍ୟ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ସକାଳ ୬ ଘଟିକା ଠାରୁ ସଂନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ଶରଣକୁଳର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ୍ ଏବଂ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଥିଲା। ବିଭିନ୍ନ ଦାବି ଗୁଡିକ ହେଲା ଡ଼ାକ୍ତରଖାନାରେ ଖାଲି ଥିବା ଡ଼ାକ୍ତର ପଦବୀ ଗୁଡିକ ପୂରଣ କରାଯାଉ, ଡାକ୍ତରଖାନାରେ ଚାଲିଥିବା ପାଳି ବ୍ୟବସ୍ଥାକୁ ବନ୍ଦ କରାଯାଉ, ବିଗତ ଦିନରେ ଡ଼ାକ୍ତରଖାନାରେ ଡାକ୍ତରଙ୍କୁ ମାଡ ମାରିଥିବା ସମ୍ପର୍କରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି?ସେ ସମ୍ପର୍କରେ ତଥ୍ୟ ପ୍ରଦାନ,ଭାର ପ୍ରାପ୍ତ ଅଧିକାରୀଙ୍କ ସମ୍ପର୍କରେ ହୋଇଥିବା ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବା , ଡାକ୍ତରଖାନା ପରିସର ମଧ୍ୟରେ ଚାଲିଥିବା ନୂତନ ଗୃହ ନିର୍ମାଣରେ ବିଳମ୍ବ ଏବଂ ଡାକ୍ତରଖାନାରେ ଅଭାବ ଥିବା ସମସ୍ତ ପରୀକ୍ଷା ଯନ୍ତ୍ରପାତି ତୁରନ୍ତ ଯୋଗାଇ ଦେବା ‌। ବିକାଶ ମଞ୍ଚ ସହିତ ସମସ୍ତ ଜନସାଧାରଣ ଡାକ୍ତରଖାନା ଗେଟ୍ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଲଡୁ ବାବାଙ୍କ ମନ୍ଦିର ଠାରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। କମ୍ୟୁନିଷ୍ଟ ଦଳର ନେତା ଗୋଲକ ବିହାରୀ ମୁଦୁଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିକାଶ ମଞ୍ଚର ଆବାହକ ପବିତ୍ର ଇନ୍ଦ୍ରଜିତ, ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ଛାତ୍ର କଂଗ୍ରେସ ସଭାପତି ଶିବ ପ୍ରସାଦ ସାହୁ,ଯୁବ କଂଗ୍ରେସ ନେତା ବିଭୁପ୍ରସାଦ ମିଶ୍ର, ସମିତି ସଭ୍ୟ ପ୍ରତୀକ ମହାପାତ୍ର,ଜ୍ୟୋତି ପ୍ରଭା ଜେନା, ସମାଜସେବୀ କୃଷ୍ଣଚନ୍ଦ୍ର ମହାପାତ୍ର , ତ୍ରିଲୋଚନ ମହାପାତ୍ର,ଆଲୋକ ପ୍ରଧାନ, କିଶୋର ମହାପାତ୍ର (ପାଣ୍ଡା) ଓ ନାରୀ ନେତ୍ରୀ ସୁଜାତା ଦାସଙ୍କ ସମେତ ଦଳମତ ନିର୍ବିଶେଷରେ ସମସ୍ତ ନେତୃବୃନ୍ଦ ଯୋଗ ଦାନ କରି ଦାବି ପୂରଣ ପାଇଁ ଦୃଢ ବକ୍ତବ୍ୟ ପ୍ରଦାନ କରିଥିଲେ। ସମସ୍ତେ ନିଜ ନିଜର ତୀକ୍ଷ୍ଣ ବକ୍ତବ୍ୟ ପ୍ରଦାନ କରିବା ସହିତ ଜନସାଧାରଣ ଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଗାମୀ ୭ ଦିନ ମଧ୍ୟରେ ଯଦି ଉପରୋକ୍ତ ଦାବି ଗୁଡ଼ିକ ପୂରଣ ନ ହୁଏ ତେବେ ପରବର୍ତ୍ତୀ ସମୟରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଚେତାବନୀ ଦେଇଛନ୍ତି। ତତ୍ ସହିତ ସ୍ଥାନୀୟ ବିଧାୟିକା ସୁରମା ପାଢ଼ୀଙ୍କ ନିରବତା ଯୋଗୁଁ ସମସ୍ତେ କ୍ଷୁବ୍ଧ ହେବା ସହିତ ତାଙ୍କ କୁଶପୁତ୍ତଳିକାକୁ ମନ୍ଦିର ସମ୍ମୁଖରେ ଦାହ କରାଯାଇଥିଲା।

Leave a Reply

Your email address will not be published. Required fields are marked *