ଇନ୍ଦୋର ପିଚ୍‌ର ରେଟିଂ ବଦଳାଇଲା ଆଇସିସି

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚର ଭେନ୍ୟୁ ଇନ୍ଦୋର ପିଚକୁ ଆଇସିସି ‘ଖରାପ’ ମାନ୍ୟତା ଦେଇଥିଲା । ଏନେଇ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଥିଲା । ଏହି ନିଷ୍ପତ୍ତି ବିରୋଧରେ ଭାରତୀୟ ବୋର୍ଡ ଆବେଦନ ମଧ୍ୟ କରିଥିଲା। ବିସିସିଆଇର ଆବେଦନ ପରେ ଏବେ ଆଇସିସି ଇନ୍ଦୋର ହୋଲକର ଷ୍ଟାଡିୟମ ପିଚ୍‌ର ରେଟିଂ ବଦଳାଇଛି । ‘ଖରାପ’ ରୁ ବର୍ତ୍ତମାନ ଏହି ପିଚ୍‌କୁ ‘ହାରାହାରିରୁ କମ୍’ ମାନ୍ୟତା ଦେଇଛି ଆଇସିସି । ଏହାଛଡ଼ା ଏହି ପିଚ୍‌କୁ ମିଳିଥିବା ଡିମେରିଟ୍ ପଏଣ୍ଟ ୩ରୁ ୧କୁ ହ୍ରାସ କରାଯାଇଛି ।

ଇନ୍ଦୋରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ତିନି ଦିନ ମଧ୍ୟରେ ଶେଷ ହୋଇଥିଲା। ଆଇସିସି ପିଚ୍ ଓ ଆଉଟଫିଲ୍ଡ ମନିଟରିଂ ପ୍ରକ୍ରିୟାରେ ଇନ୍ଦୋର ପିଚ୍‌କୁ ‘ଖରାପ’ ମାନ୍ୟତା ଦିଆଯାଇଥିଲା। ଏହି ପିଚ୍‌ରେ ଉଭୟ ଦଳର ସ୍ପିନରମାନଙ୍କୁ ପ୍ରଥମ ଦିନରୁ ହିଁ ଟର୍ଣ୍ଣ ମିଳିଥିଲା । ପ୍ରଥମ ଦିନରେ ୧୪ ୱିକେଟ୍ ମଧ୍ୟରୁ ୧୩ଟି ସ୍ପିନରମାନେ ନେଇଥିଲେ।

ପୂରା ମ୍ୟାଚରେ ପଡିଥିବା ୩୧ଟି ୱିକେଟ୍ ମଧ୍ୟରୁ ୨୬ଟି ସ୍ପିନର ନେଇଥିବାବେଳେ କେବଳ ଚାରିଟି ଓ୍ବିକେଟ୍ ଦ୍ରୁତ ବୋଲର ନେଇଥିଲେ। ଜଣେ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ହୋଇଥିଲେ। ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ ଅଧିନାୟକତ୍ୱରେ ଭାରତକୁ ୯ ଓ୍ବିକେଟରେ ହରାଇଥିଲା । ଏହି ବିଜୟ ସହିତ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲା ​​| ତେବେ ଟିମ୍ ଇଣ୍ଡିଆ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି କ୍ରମାଗତ ଚତୁର୍ଥ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଥିଲା । ଅହମ୍ମଦାବାଦରେ ଖେଳାଯାଇଥିବା ଶେଷ ଟେଷ୍ଟ ଡ୍ର ହୋଇଥିଲା।

Leave a Reply

Your email address will not be published. Required fields are marked *