ବସନ୍ତେ ବିଭୋର ହୋଇ କୋଇଲି

   ବସନ୍ତେ ବିଭୋର ହୋଇ କୋଇଲି
          ( ରାଗ — ରସକୁଲ୍ୟା )

   🖊️କବିରତ୍ନ ନୂତନ କୁମାର ବେହେରା

ବସନ୍ତେ ବିଭୋର ହୋଇ କୋଇଲି
କୁହୁ ତାନେ ଗାଏ ତା’ ମନ ଖୋଲି,
ମୃଦୁ ମଧୁ ମଳୟେ ଝୁଲି ଝୁଲି
ଫୁଲ ଫୁଟି ହସେ ପାଖୁଡ଼ା ମେଲି ସେ,
ମହକି ଉଠେ ଫଗୁଣ ଯେ
ପ୍ରୀତିର ସଂପର୍କେ ପରାଣ ପୁଲକେ
ଭବେ ଆଣେ ଜାଗରଣ ଯେ।୧।

ନାୟକ ବସନ୍ତ ମଞ୍ଚେ ବିରାଜେ
ନାୟିକା ଫଗୁଣ ତା’ଗୁଣେ ମଜେ,
ରୂପର ଲାବଣ୍ୟେ ହୋଇ ମୁଗୁଧ
ଚୋରା ଚାହାଁଣୀରେ କରେ ବିଦଗ୍ଧ ସେ,
ଉଲ୍ଲସିତ ତନୁମନ ଯେ
ବଉଳି ବଉଳ ଦିଶଇ ମଞ୍ଜୁଳ
ମଧୁପ ଦିଏ ଚୁମ୍ବନ ଯେ।୨।

ସୂର୍ଯ୍ୟର କିରଣ ଦିଏ ଉତ୍ତାପ
ତାରୁଣ୍ୟ ବୟସେ ଲାଗେ ଅମାପ,
ପ୍ରେମ ଲାଗି ପ୍ରେମୀ ଯୁଗଳେ ଚିନ୍ତି
ମଧୁ ସମ୍ଭାଷଣେ ଖେଳନ୍ତି ହୋଲି,
ଶ୍ରୀରାଧାକୃଷ୍ଣ ମିଳନ ଯେ
ପୂଜନେ ଦର୍ଶନ ସନ୍ତୋଷ ଜୀବନ
ପ୍ରୀତି ରୀତି ସମ୍ମୋହନ ଯେ।୩।

ଚାନ୍ଦର ଚାନ୍ଦିନୀ ପାଏ ମେଦିନୀ
ରୂପେ ରୂପାମୟୀ ହୁଏ ତରୁଣୀ,
ନୟନେ ନାଚେ ସପନ ତରଙ୍ଗ
ତା’ ମନପକ୍ଷୀ ଉଡ଼େ ହୋଇ ପତଙ୍ଗ ସେ,
ବସନ୍ତ ଫଗୁଣ ବେନି ଯେ
ମର୍ତ୍ତ୍ଵେ ରାଜାରାଣୀ ପ୍ରକାଶନ୍ତି ବାଣୀ
ଲାଗଇ ପରଶମଣି ଯେ।୪।

ବସନ୍ତେ ବିଭୋର ହୋଇ କୋଇଲି
ଦୁଃଖ ଦୈନ୍ୟ ତାର ଯାଏ ତ ଭୁଲି,
ରୂପ ରଙ୍ଗ ଠାରୁ ଗୁଣ ପ୍ରକାଶି
ସାରା ମୂଲକକୁ କରଇ ଖୁସି ସେ,
ମଧୁମୟେ ଧରା ହସେ ଯେ
ଜୀବନ ମରମ ବୁଝାନ୍ତି ପରମ
ଛ’ଋତୁର ବାରମାସେ ଯେ।୫।

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *