କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫୋଟୋଗ୍ରାଫି ମାମଲା
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫୋଟୋଗ୍ରାଫି ମାମଲା l ଅଧୀକ୍ଷକଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ lକୋର୍ଟକୁ ଅବମାନନା ନେଇ ହାଇକୋର୍ଟ ର ଉଦବେଗ l କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ୍ କୁ ଜଣାଇ ନାହାଁନ୍ତି କୋଣାର୍କ – କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ଅନଧିକୃତ ଭାବେ ଫୋଟୋଗ୍ରାଫି କରୁଥିବା ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଲାଇସେନ୍ସ ପ୍ରାପ୍ତ ଫୋଟୋଗ୍ରାଫର୍ ମାନେ ବାରମ୍ଵାର ପିଟିସନ ଦାୟର କରି ଆସୁଛନ୍ତି। ପୁରାତନ କୀର୍ତ୍ତିରାଜି ଓ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ତଥା ଆମ୍ସର୍ ୧୯୫୯ ନିୟମ ୮(ଘ) ଅନୁଯାୟୀ ସାରା ଦେଶରେ ଥିବା ସମସ୍ତ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଅଧୀନ କୀର୍ତ୍ତିରାଜି ସ୍ଥଳୀରେ ବିନା ଲାଇସେନ୍ସ ରେ କୌଣସି ବ୍ୟକ୍ତି ବିଶେଷ ମନ୍ଦିର ପରିସରରେ ଆର୍ଥିକ ବ୍ୟବସାୟିକ କାର୍ଯ୍ୟକଳାପ କରି ପାରିବେ ନାହିଁ। ଯଥା ଯେ କୌଣସି ଜିନିଷ ବିକ୍ରି କରିବା, କୌଣସି ବିଜ୍ଞାପନ ପ୍ରଦର୍ଶନ କରିବା, ଟଙ୍କା ରୋଜଗାର ପାଇଁ ଫୋଟୋଗ୍ରାଫି ଆଦି କାର୍ଯ୍ୟ କରି ପାରିବେ ନାହିଁ। କେବଳ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସ୍ଵୀକୃତିପ୍ରାପ୍ତ ଫଟୋଗ୍ରାଫି ଯେଉଁମାନେ କି ବାର୍ଷିକ ଫି ୨୫ ହଜାର ଟଙ୍କା ଦେଇ ସ୍ଵୀକୃତି ଲାଭ କରିଥିବେ ସେମାନେ କେବଳ ଫଟୋଗ୍ରାଫି କରି ପାରିବେ। ଏନେଇ ୨୦୧୯ ମସିହାରୁ ୧୦ ଜଣ ଫୋଟୋଗ୍ରାଫର ନିୟୋଜିତ ହୋଇଛନ୍ତି। କିନ୍ତୁ ସ୍ଥାନୀୟ ଶତାଧିକ ଲୋକମାନେ ରୋଜଗାର ନିମନ୍ତେ ବେଆଇନ୍ ଭାବେ ମନ୍ଦିର ଭିତରେ ପ୍ରବେଶ କରି ଫୋଟୋଗ୍ରାଫି କରି ଆସୁଛନ୍ତି। ଏନେଇ ସ୍ଵୀକୃତିପ୍ରାପ୍ତ ଫୋଟୋଗ୍ରାଫର ମାନେ ବାରମ୍ଵାର ପୋଲିସ୍, ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ। ଯାହା ଫଳରେ ସେମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଈ ପ୍ରାର୍ଥନା କରିଥିଲେ। କୋର୍ଟର ନିର୍ଦେଶ ପରେ କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ ପୁରୀ ସର୍କଲ ଅଧିକ୍ଷକ ଓ କୋଣାର୍କ ମନ୍ଦିର ସଂରକ୍ଷଣ ଅଧିକାରୀ।

ବେଆଇନ ପ୍ରଵେଶ ରୋକିବାକୁ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସକୁ ସହାୟତା ମଧ୍ୟ ମାଗି ନାହାଁନ୍ତି। ଅଧିକାରୀଙ୍କ ଅପାରଗତା ଓ ଖାମଖିଆଲି ନୀତି ଯୋଗୁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି।କୋର୍ଟଙ୍କ ନିର୍ଦେଶ ପରେ ମଧ୍ଯ ବାରମ୍ୱାର ଅବମାନନା କରିଛନ୍ତି ଅଧିକ୍ଷକ। ଯାହାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟଳୟ ଉଦବେଗ ପ୍ରକାଶ କରିଛନ୍ତି। ଅଧୀକ୍ଷକଙ୍କୁ ତୁରନ୍ତ ଏନେଇ ଏକ ସତ୍ୟପାଠ ଦାଖଲ କରିବାକୁ ଉଚ୍ଚ ନ୍ୟାୟଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସ୍ପଷ୍ଟ କରାଯାଉଛି ଯେ ପରବର୍ତ୍ତୀ ତାରିଖ ପୂର୍ବରୁ ସତ୍ୟପାଠ ଦାଖଲ କରିବାରେ ବିଫଳ ହେଲେ, ବିପକ୍ଷ ପକ୍ଷ ପୁରୀ ସର୍କଲ ଅଧୀକ୍ଷକଙ୍କୁ ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ରହିଛି। ଲାଇସେନ୍ସ ପ୍ରାପ୍ତ ଫୋଟୋଗ୍ରାଫର ଙ୍କ ତରଫରୁ ଅକ୍ଷୟ କୁମାର ମଲ୍ଲିକ, ଅଶୋକ ସାହୁ, ସନ୍ତୋଷ ପାତ୍ର, ବିଜୟ ମଲିକ, ଚନ୍ଦନ ପଣ୍ଡା, ଜୟ ଗୋଚ୍ଛାୟତ, ପ୍ରଶାନ୍ତ ପ୍ରଧାନ, ଶରତ ମୁଦୁଲି ପ୍ରମୁଖ ମିଳିତ ଭାବେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁପିସି ନଂ ୨୫୧୭୬/୨୦୨୧ ରେ ଏକ ପିଟିସନ ଦାଖଲ କରିଥିଲେ।
