ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି | ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରୁ ନୂଆ ରତ୍ନପଲଙ୍କରେ ନିଦ୍ରା ଯିବେ ମହାପ୍ରଭୁ । ତିନି ସେଟ୍ ରତ୍ନପଲଙ୍କ ପ୍ରସ୍ତୁତ ହୋଇଛି । ଆସନ୍ତା ୧୪ ରୁ ଏହା ବ୍ୟବହାର ହେବ। ପୁରୁଣା ରତ୍ନ ପଲଙ୍କ ଡିଜାଇନ୍ କୁ ଅନୁସରଣ କରି ରୂପା ଆଚ୍ଛାଦିତ ନୂତନ ରତ୍ନ ପଲଙ୍କ ପ୍ରସ୍ତୁତ ହୋଇଛି । ପୁରୁଣା ପଲଙ୍କର ହାତୀ ଦାନ୍ତ ମଧ୍ୟ ନୂଆ ପଲଙ୍କରେ ବ୍ୟବହୃତ ହୋଇଛି ।ପୁରୁଣା ପଲଙ୍କ ଗୁଡ଼ିକ ବର୍ତ୍ତମାନ ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିଅମରେ ରହିବ । ପରେ ଏହାକୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଉପଲବ୍ଧ କରିବାକୁ ହେଉଛି ଯୋଜନା । ଆସନ୍ତା 20 ତାରିଖ ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ଆରମ୍ଭ ହେବାକୁ ଥିବା ଚନ୍ଦନ ଯାତ୍ରା,ନୃସିଂହ ଜନ୍ମ ,ଭଉଁରୀ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି।ଜିଲ୍ଲାପାଳଙ୍କ ସ୍ତରରେ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି ।ମ୍ୟୁନିସପାଲିଟି ,ଜିଲ୍ଲା ପ୍ରଶାସନ,ପୋଲିସ୍ ପ୍ରଶାସନଙ୍କୁ ଏ ନେଇ ଦାୟିତ୍ଵ ବଣ୍ଟନ କରାଯାଇଛି ।ସେପଟେ ଆଜିଠାରୁ ବାହାର ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳଧୂପ ପରେ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ସ୍ବଚ୍ଛତା ଓ ସଠିକ୍ ଭାବରେ ଗଣତି କାର୍ଯ୍ୟ କରିବା ପାଇଁ ସମୟ ଦରକାର କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ଏଥର ଶନିବାର ମଧ୍ୟ ହେବ ରତ୍ନଗଣତି । ପୂର୍ବରୁ ଶନିବାର ଓ ରବିବାର ଗଣତି ବନ୍ଦ୍ ରଖିବା ପାଇଁ ହୋଇଥିଲା ନିଷ୍ପତ୍ତି।ତେବେ ଗଣତି ସମୟରେ ବାହାର କାଠରୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଜଗମୋହନ ଓ ପୋଖାରିଆକୁ କେବଳ ନୀତି ସମ୍ପୃକ୍ତ ସେବାୟତ ମାନେ ହିଁ ଯାଇପାରିବେ l ସେପଟେ ଆଲୋକୀକରଣ ପାଇଁ ଏ ଏସ ଆଇ ର ପରାମର୍ଶଦାତା ସ୍ତରରେ ସମୀକ୍ଷା ସରିଛି । ଜିଲ୍ଲାପାଳଙ୍କ ସ୍ତରରେ ଗଠିତ ସବ୍ କମିଟି ମଧ୍ୟ ସମୀକ୍ଷା କରିଛନ୍ତି । ଖୁବ୍ଶୀଘ୍ର ହେବ ଟେଣ୍ଡର ପ୍ରକ୍ରିୟା। ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଲାଇଟ ମୂଳ ମନ୍ଦିର ସହ,ପାର୍ଶ୍ୱ ମନ୍ଦିର, କୁରୁମ ବେଢ଼ା,ମେଘନାଦ ପାଚେରୀକୁ ଆଲୋକୀକରଣ କରିବ ।ଯେଉଁ କମ୍ପାନୀ ଟେଣ୍ଡର ନେବ ୫ ବର୍ଷ ଯାଏଁ ମେଣ୍ଟେନାନ୍ସ ଦାୟିତ୍ୱ ବହନ କରିବେ l ନାଟମଣ୍ଡପ ଏୟାର କଣ୍ଡିସନିଂ ପାଇଁ ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ଏୟାର କଣ୍ଡିସନିଂ ପାଇଁ ମଧ୍ୟ ଖୁବ୍ ଶୀଘ୍ର ଟେଣ୍ଡର ହେବ।

Leave a Reply

Your email address will not be published. Required fields are marked *