ମୁକ୍ତି ମଣ୍ଡପ
ମୁକ୍ତି ମଣ୍ଡପ
🔹ପ୍ରାବନ୍ଧିକ ନୂତନ କୁମାର ବେହେରା
ମହାପୁଣ୍ୟର ମହନୀୟ କର୍ମଫଳ ଲାଭ କରି
ପ୍ରଭୁଙ୍କ ଆଶିଷରେ ଆଜ୍ଞା ପାଳିବାକୁ ମାନବ ଏ ପବିତ୍ର
ଧରାଧାମେ ଜନ୍ମ ହୋଇଥାଏ। ପିତାମାତା, ଆତ୍ମୀୟ-
ସ୍ବଜନ ବନ୍ଧୁବାନ୍ଧବ ତଥା ସମାଜର ଗୁରୁ ଗୁରୁଜନ ଶୁଭାକାଂକ୍ଷୀଙ୍କଠାରୁ ସହଯୋଗ ସ୍ନେହ ଶ୍ରଦ୍ଧା ତଥା
ଆଶୀର୍ବାଦ ପାଇ ସେ ତାର ଆତ୍ମବିକାଶ କରିଥାଏ।
ଜୀବନକୁ ସରସ ସୁନ୍ଦର ମଧୁମୟ କରିବାର ଆଶା
ଆକାଂକ୍ଷାରେ ଅନେକ ସ୍ଵପ୍ନ ଦେଖେ। ସେ ସବୁ ସଫଳ
କରିବାକୁ ବିଭିନ୍ନ ମାର୍ଗକୁ ଆପଣେଇ ନିଏ। ଚଲା
ବାଟେ ଚାଲି ଜୀବନ ଗଢୁ ଗଢୁ ସଂସାରର ମୋହରେ
ମୋହିତ ହୋଇ ଅନେକ ସମୟରେ ଅଜ୍ଞାନ ବଶତଃ
ହେଉ ବା ଜ୍ଞାତସାରରେ ହେଉ ଭୁଲ୍ କରି ବସେ,
ସେ ଭୁଲ୍ ତାର ପର୍ଯ୍ୟାୟ କ୍ରମେ ଅପରାଧ ବା ପାପ
ରୂପରେ ରୂପାନ୍ତରିତ ହୁଏ।
ମଣିଷ ମୁକ୍ତ ଭାବରେ ଜନ୍ମ ହୁଏ ସତ କିନ୍ତୁ
ଜୀବନ ଯାକ ସଂସାରିକ ବନ୍ଧନରେ ବାନ୍ଧି ହୋଇ
ଥାଏ। ସେ ବନ୍ଧନରେ ସେ ଅତିଶୟ ମୋହଗ୍ରସ୍ତ
ହୋଇ ଯନ୍ତ୍ରଣାରେ ଜର୍ଜ୍ଜରିତ ହେଲେ ଖୋଜି ଥାଏ
ମୁକ୍ତିର ପଥ। ଆଉ ସେ ପଥର ସନ୍ଧାନ ସେ ଯେଉଁ-
ଠାରୁ ପାଏ ସେ ହେଉଛି ମୁକ୍ତି ମଣ୍ଡପ।
ମର୍ତ୍ତମଣ୍ଡଳରେ ଗ୍ରାମାଞ୍ଚଳଠାରୁ ସହର ପର୍ଯ୍ୟନ୍ତ
ସବୁଠି ଏ ସାମାଜିକ ବ୍ୟବସ୍ଥା ଅଛି। ଶୃଙ୍ଖଳିତ ଜୀବନ
ଯାପନ କରିବା ନିମିତ୍ତ ସେ ମଣ୍ଡପରେ ବ୍ୟୟୋଜ୍ୟେଷ୍ଠ
ଜ୍ଞାନୀ ଗୁଣୀ ଅଭିଜ୍ଞ ବ୍ୟକ୍ତିମାନେ ହିଁ ବସି ସେ ଅଞ୍ଚଳର
ଅପ୍ରୀତିକର ସମସ୍ୟାର ସମାଧାନ କରନ୍ତି ପାପର ପ୍ରାୟଶ୍ଚିତ
ପାଇଁ ମଧ୍ୟ ନ୍ୟାୟ ନିଷାପ କରନ୍ତି। ତାଙ୍କୁ ‘ପଞ୍ଚ ପରମେଶ୍ଵର’ କୁହାଯାଏ। ତାଙ୍କୁ ଉଚିତ ସମ୍ମାନ ମର୍ଯ୍ୟାଦା ଦିଆଯାଏ।
ଶ୍ରୀମନ୍ଦିର ବେଢା ପରିସର ମଧ୍ୟରେ ଯେଉଁ
ମଣ୍ଡପ ଅଛି, ସବୁ ମଣ୍ଡପଠାରୁ ସେ ଉର୍ଦ୍ଧରେ, ସେହି
ମଣ୍ଡପର ନାମ ” ମୁକ୍ତି ମଣ୍ଡପ ” ।
ଓଡି଼ଶାର ଶ୍ରୀଜଗନ୍ନାଥ ସଂସ୍କୃତିରେ କିମ୍ବଦନ୍ତୀ ତଥା ଇତିହାସ ପ୍ରମାଣ କରେ ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ ମଧ୍ୟରେ ମୁକ୍ତି ମଣ୍ଡପ ସ୍ବତନ୍ତ୍ର। ଏ ହେଉଛି ପ୍ରାଚୀନ ସାଂସ୍କୃତିକ ପୀଠ।
ଶ୍ରୀମନ୍ଦରର ଓ ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା ସମୟରେ ସ୍ଵୟଂ ବ୍ରହ୍ମା ଯେଉଁ ସ୍ଥାନରେ ଉପବେଶନ କରି ଯଜ୍ଞର ପୂଣ୍ଣାହୁତି ଦେଇ ଥିଲେ ସେ ସ୍ଥାନରେ ହିଁ ମୁକ୍ତି ମଣ୍ଡପ କରାଯାଇଛି।ଯଜ୍ଞର ଭସ୍ମକୁ ନଷ୍ଟ କରା ନ ଯାଇ ତାହାରି ଉପରେ ମଣ୍ଡପଟି ନିର୍ମିତ ହୋଇଛି। ତେଣୁ ଏ ମଣ୍ଡପର ନାମକରଣ ମୁକ୍ତି ମଣ୍ଡପ ରଖା ଯାଇଛି।
ଏତତ୍ ଭିନ୍ନ ଏ ମଣ୍ଡପକୁ ବ୍ରହ୍ମବେଦୀ , ବ୍ରହ୍ମାସନ,ଯଜ୍ଞମଣ୍ଡପ ବା ମୋକ୍ଷମଣ୍ଡପ ନାମରେ ମଧ୍ୟ ନାମିତ କରାଯାଇଛି।
ଊକ୍ତ ମଣ୍ଡପଟି ଷୋଡ଼ଶ ଶତାଦ୍ଦୀରେ ଗଜପତି
ପ୍ରତାପରୁଦ୍ରଦେବଙ୍କ ସମୟରେ ନିର୍ମିତ ହୋଇଛି।କିନ୍ତୁ ମାଦଳା
ପାଞ୍ଜି କହେ ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବଙ୍କ ତେୟାଳିଶ ଅଙ୍କେ ମାନସିଂହଙ୍କ ପତ୍ନୀ ଗୌରୀ ଦେବୀ ଏ ମୁକ୍ତି ମଣ୍ଡପ ଗଢାଇଥିଲେ। ଏ ସଂପର୍କରେ ଆହୁରି ମଧ୍ୟ ଅନେକ ମତବାଦ
ରହିଛି।
ମୁକ୍ତି ମଣ୍ଡପଟି ଶ୍ରୀମନ୍ଦରର ଭିତର ବେଢାରେ କଳ୍ପବଟ
ଓ ରୋହିଣୀ କୁଣ୍ଡର ମଧ୍ୟବର୍ତ୍ତୀ ପବିତ୍ର ସ୍ଥାନ।
ଆକାରରେ ମଣ୍ଡପଟି ବର୍ଗାକାର। ଏହାର ଲମ୍ବ ଓ ପ୍ରସ୍ଥ
ଉଭୟ ଅଠତିରିଶ ଫୁଟ । କଳା ମୁଗୁନି ପଥରରେ ଏହା
ନିର୍ମିତ ହୋଇଅଛି। ଚାରି ପଟେବାରଟି ଓ ମଝିରେ ଚାରିଟି
ସ୍ତମ୍ଭ ରହିଛି। ଖୁବ୍ ମସୃଣ ଓ ଗାଢ଼ କଳାରଙ୍ଗର ଗୋଲାକାର ସ୍ତମ୍ଭଗୁଡିକ,ପ୍ରତିଟିର ଗୋଲେଇ ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ। ଓଜନ ସମ୍ଭାଳିବା ପାଇଁ ମଝି ସ୍ତମ୍ଭଗୁଡିକୁ ପରବର୍ତ୍ତୀ ସମୟରେ
ଦୁଇ ଗୁଣ କରା ଯାଇଛି। ପ୍ରତ୍ୟେକ ସ୍ତମ୍ଭର ଉଚ୍ଚତା
ଆଠ ଫୁଟ। ମଣ୍ଡପର ଉପର କାନ୍ଥରେ ନୃସିଂହ,
ଗଣେଶ, ଦୁର୍ଗା, ବ୍ରହ୍ମା ଓ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରହିଛି।
ମଣ୍ଡପର ପଶ୍ଚିମ ଦିଗର ମା’ କାଳୀଙ୍କର ଚିତ୍ର ଅଛି।
ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ
ମୁକ୍ତି ମଣ୍ଡପର ସ୍ଥାୟୀ ସଭାପତି। ପଣ୍ଡିତମାନଙ୍କର
ନଅ ଜଣିଆ ଏକ କମିଟି ରହିଛି।
କେତେକ ନିର୍ଦ୍ଦଷ୍ଟ ବ୍ରାହ୍ମଣ ଶାସନର ପୁରୋହିତ
ଓ ଶ୍ରୀମନ୍ଦିରର ପୂଜାପଣ୍ଡାମାନେ ଏଠାରେ ବସିଥାନ୍ତି।
ତାଙ୍କ ସମେତ ନୈଷ୍ଠିକ ଉଚ୍ଚଶିକ୍ଷିତ ବେଦଜ୍ଞ, ବୟୋ-
ପ୍ରାପ୍ତ ବ୍ରାହ୍ମଣମାନଙ୍କର ଏଠାରେ ବସିବାର ଅଧିକାର
ଅଛି।ଏତତ୍ ଭିନ୍ନ ରାଜଗୁରୁ,ରାୟଗୁରୁ,ଦେଉଳ ପୁରୋହିତ,
ଚଣ୍ଡି ଓ ସନ୍ୟାସୀମାନେ ମୁକ୍ତି ମଣ୍ଡପରେ ବସି ପାରନ୍ତି।
ଉକ୍ତ ମୁକ୍ତି ମଣ୍ଡପରେ ଆଧ୍ୟାତ୍ମିକ ଜ୍ଞାନ ଯଜ୍ଞ ହୁଏ। ପ୍ରବଚନ ଓ ସତସଙ୍ଗରେ ଧର୍ମ ସମ୍ଵନ୍ଧୀୟ ତାତ୍ତ୍ବିକ ସିଦ୍ଧାନ୍ତର ବାଖ୍ୟା ଓ ଅନୁଶୀଳନ ଧର୍ମାଚାରଣ ସଂପର୍କୀୟ ଯେତେ ସମସ୍ୟାର ଶାସ୍ତୀୟ ମତାନୁସାରେ
ସମାଧାନ କରି କାର୍ଯ୍ୟପନ୍ଥା ନିର୍ଣ୍ଣୟ ହୁଏ ଓ ପାଳିତ
କରାଯାଏ। ପାପ କାର୍ଯ୍ୟ ପ୍ରାୟଶ୍ଚିତ ବିଧାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଏ।
ଏଠାରେ ବ୍ରତପୋନୟନ, ବିବାହ ଆଦି ସାମାଜିକ
କର୍ମମାନ ବିଧି ବିଧାନ ଅନୁଯାୟୀ କରାଯାଏ।ଶ୍ରୀମନ୍ଦରରେ
ପ୍ରଚଳିତ ପାଞ୍ଜିକୁ ମଣ୍ଡପର ସଭାରେସ୍ଵୀକୃତି ପ୍ରଦାନ କରାଯାଏ।
ମୁକ୍ତି ମଣ୍ଡପର ପଣ୍ଡିତସଭା ସହିତ ଶ୍ରୀମନ୍ଦିରର ନୀତକାନ୍ତିର
କୌଣସି ସମ୍ଵନ୍ଧ ନାହିଁ।
ମୁକ୍ତି ମଣ୍ଡପ ମଣିଷକୁ ଆତ୍ମସମୀକ୍ଷା କରିବାକୁ
ସୁଯୋଗ ଦିଏ। ଆତ୍ମ ସଂଶୋଧନ କରି ଏକ
ଆଦର୍ଶ ଜୀବନଯାପନ ପାଇଁ ପ୍ରେରଣା ଦିଏ। ସତ୍ ପଥରେ
ଜୀବନ ନିର୍ବାହ କରିବା ପାଇଁ ସହାୟକ ହୁଏ ମାର୍ଗ ଦର୍ଶକ
ରୂପେ।
ମୁକ୍ତି ମଣ୍ଡପର ବିଚାର ନିରପେକ୍ଷ ଓ ଗ୍ରହଣଯୋଗ୍ୟ।
ସର୍ବୋପରି ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ନିଜକୁ ସଂପୂର୍ଣ୍ଣ
ସମର୍ପଣ କରି ସାତ୍ତ୍ବିକ ଜୀବନ ଯାପନ କଲେ ଜୀବନମୁକ୍ତ ହୁଏ
ଓ ମୋକ୍ଷପ୍ରାପ୍ତିର ପଥ ସମ୍ମୁଖରେ ଉନ୍ମୋଚିତ ହୋଇଯାଏ…
” ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ “
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
