ସେଇ ମୋ ପ୍ରିୟ ଜନମ ଭୂଇଁ

        ସେଇ ମୋ ପ୍ରିୟ ଜନମ ଭୂଇଁ

 🖊️କବିରତ୍ନ ନୂତନ କୁମାର ବେହେରା

ସେଇ ମୋ ପ୍ରିୟ ଜନମ ଭୂଇଁ
         ଯା’ ପାଦେ ମୋ ମଥା ଯାଏ ନୁଇଁ,
ମମତା ତାର ଆକାଶ ଛୁଇଁ
        ଆଶିଷ ଢାଳେ ମୋହରି ପାଇଁ/୦/
ତା’ କୋଳେ ନେଇ ଜନମ ମୁହିଁ
                ହସ ଖୁସିରେ ରହିଛି ଜୀଇଁ,
ତାର ଅଦେୟ କିଛି ତ ନାହିଁ
              ଅଜାଡ଼ି ଦିଏ ସବୁ ମୋ ପାଇଁ/
ବସୁଧାରେ ଭାରତ ତା’ ନାଆଁ
             ତା’ ବକ୍ଷେ ରହିଛି ସହର ଗାଁ,
ସବୁରି ଲାଗି ସେ ଗୋଟିଏ ମାଁ
        ଧନ୍ୟ ସେ ପାଏ ଯେ ତାର ଛୁଆଁ/
ତା’ ପାଶେ କରେ ମୁଁ ଯାହା ଅଳି
               ଦିଅଇ ତାହା କିଛି ନ ଭାଳି,
ଚନ୍ଦନ ମୋର ତା’ ବାଲି ଧୂଳି
         ଦେହରେ ମୋର ହୁଏ ମୁଁ ବୋଳି/
ତା’ ବୃକ୍ଷ ଡାଳେ ମୁଁ ଏକ କଢ଼ି
            ଫୁଲ ସମ ମୋତେ ଦିଏ ଗଢ଼ି,
ବଢୁଛି ତାର କୋଳରେ ଲଢ଼ି,
              ତା’ ନାଆଁ ରଖିବି ପାଠ ପଢ଼ି/
ତା’ ପାଣି ପବନେ ଖେଳି ଖେଳି
          ଆନନ୍ଦେ ଝୁଲେ ଜୀବନ ଦୋଳି,
ମୋ ଦୁଃଖେ ମୋତେ ନିଏ ସମ୍ଭାଳି
            ସତେଜ କରେ ଗଲେ ମଉଳି/
ଜନମ ଭୂଇଁ ମୋ ମାଆ ଭଳି
               ସହିଥାଏ ମୋ ଅଳି ଅର୍ଦ୍ଦଳି,
କରେନା କେବେ କା’ ସାଥେ କଳି
             ତା’ ଯତନେ ରହୁ ସବୁ ମିଳି/
ଦିଏ ମୋତେ ଅଭୟ ଆଶ୍ରୟ
             ବିଶାଳ ତା’ କୋମଳ ହୃଦୟ,
ଜୀବନ ଧର୍ମେ କରି ମୁଁ ଜୟ
            ମୋ ଘରକୁ କରେ ମଧୁମୟ/
ଅଯାଚିତ ଦାନ ତା’ ମହାନ
             ସେବା କରି ଦେବି ପ୍ରତିଦାନ,
ସେ ରଖେ ମୋର ଏଇ ଜୀବନ
            ମା’ ପରି ସେ ସରଗ ସମାନ/
ସମ୍ମାନ ତାର ରଖିବି ମୁହିଁ
              ଯଶ ଗୌରବ ରହିବ ଯହିଁ,
ତା’ ମୁହଁର ହସକୁ ମୁଁ ଚାହିଁ
      ମୋ ମଥା ତା’ ପାଦେ ରହେ ନୁଇଁ/
ସେଇ ମୋ ପ୍ରିୟ ଜନମ ଭୂଇଁ …….

  ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *