ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ କାମ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିଠାରୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ତିନିରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ରଥ ନିର୍ମାଣ ପାଇଁ ଭୋଇ ସେବାୟତ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତ ମାନେ ତୁମ୍ୱ ନିର୍ମାଣ ପାଇଁ ଫାଶି କାଠ ଚିରଟ ଆରମ୍ଭ କରିଛନ୍ତି।

ପ୍ରଥମ ଦିନରେ ତିନି ରଥ ପାଇଁ କରତୀ ସେବାୟତ ମାନେ ତିନୋଟି ତୁମ୍ବ କାଟିଛନ୍ତି। ପ୍ରାଥମିକ ଭାବରେ ତିନିରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ୱର ନିର୍ମାଣ କାର୍ଯ୍ୟ ବିଶ୍ଵକର୍ମା ଓ କରତୀ ସେବାୟତ ମାନେ ଆରମ୍ଭ କରିଛନ୍ତି।ରଥନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବାୟତ ମାନେ ଅତ୍ୟନ୍ତ ନିଷ୍ଠାର ସହ ସୁଦ୍ଧପୁତ ଭାବରେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ସାଧାରଣ ଲୋକଙ୍କ ଠାରୁ ରଥଖଳାକୁ ଦୂରରେ ରଖିବା ପାଇଁ ସମଗ୍ର ରଥଖଳାକୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନି ରଥ ପାଇଁ ଭୋଇ ସେବାୟତ ମାନେ ୬ ଟି ତୁମ୍ବ ଯୋଗାଇବା ପରେ ରଥର ମୁଖ୍ୟ ବିଶ୍ଵକର୍ମା ନିର୍ଦ୍ଧିଷ୍ଟ ମାପ ଓ ସାଇଜ ଅନୁଯାୟୀ ତୁମ୍ବ ଗୁଡ଼ିକ ସାଇଜ କରୁଛନ୍ତି। ତେବେ ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ।
