ପୁରୀ ପୋଲିସ ଦ୍ୱାରା ଏପ୍ରିଲ ୨୦୨୬ ଅପରାଧ ସମୀକ୍ଷା ବୈଠକ
ପୁରୀ ପୋଲିସ ଦ୍ୱାରା ଏପ୍ରିଲ ୨୦୨୬ ମାସର ଅପରାଧ ସମୀକ୍ଷା ବୈଠକ ଆଜି ପୁରୀ ଏସ୍ପି କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଶୀଲ ମିଶ୍ର, ଶ୍ରୀ ଦେବ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ ସହିତ ସମସ୍ତ ସବ୍-ଡିଭିଜନର ଅଧିକାରୀ, ସମସ୍ତ ଥାନା ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଗତ ମାସର ଅପରାଧ ପରିସ୍ଥିତି, ଚାଲୁଥିବା ମାମଲାଗୁଡିକର ତଦନ୍ତ ପ୍ରଗତି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହାସହ ଅପରାଧ ନିୟନ୍ତ୍ରଣରେ ଉନ୍ନତ ରଣନୀତି ଅନୁସରଣ କରିବା, ତଦନ୍ତକୁ ଶୀଘ୍ର ଓ ଦୃଢ କରିବା, ଏବଂ କୋର୍ଟରେ ମାମଲାଗୁଡିକୁ ସୁଦୃଢ ଭାବରେ ପ୍ରସ୍ତୁତ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ସମସ୍ତ ଥାନା ଅଧିକାରୀଙ୍କୁ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରିବାକୁ ନିର୍ଦେଶ ଦେଇଥିଲେ। ସେ ତଦନ୍ତର ଗୁଣତ୍ୱ ବୃଦ୍ଧି, ସମୟମଧ୍ୟରେ ଚାର୍ଜଶିଟ ଦାଖଲ, ଏବଂ ଦୃଢ ସାକ୍ଷ୍ୟ ପ୍ରଦାନ ଉପରେ ଜୋର ଦେଇଥିଲେ। ବିଶେଷକରି ବୈଜ୍ଞାନିକ ପଦ୍ଧତିରେ ତଦନ୍ତ, DNA ସଂଗ୍ରହ ପ୍ରକ୍ରିୟା, e-Sakhya ପ୍ରଣାଳୀର ସଫଳ ବ୍ୟବହାର ଏବଂ ଡିଜିଟାଲ ତଥ୍ୟ ସଂଗ୍ରହକୁ ଆହୁରି ସୁଦୃଢ କରିବା ପାଇଁ ନିଦେଶ ଦିଆଯାଇଥିଲା।ସେହିପରି ଆଧୁନିକ ପୋଲିସିଂ ପ୍ରଣାଳୀକୁ ଆହୁରି ସକ୍ରିୟ କରିବା ପାଇଁ ସିସିଟିଭି ମନିଟରିଂ, ସାଇବର ଟୁଲ୍, ଡିଜିଟାଲ ତଦନ୍ତ ପ୍ରଣାଳୀ ଓ ଡାଟା ବିଶ୍ଳେଷଣର ବ୍ୟବହାର ବଢ଼ାଇବାକୁ କୁହାଯାଇଥିଲା।

ସନ୍ଦେହଜନକ ବ୍ୟକ୍ତି ଓ ଅପରାଧ ପ୍ରବଣ ଅଞ୍ଚଳରେ ନିୟମିତ ଚେକିଂ, ପ୍ୟାଟ୍ରୋଲିଂ ଓ ଇଣ୍ଟେଲିଜେନ୍ସ ସଂଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଥିଲା।ପୁରୀ ଜିଲ୍ଲା ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ହେବାରୁ, ପର୍ଯ୍ୟଟକମାନଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାପନା ଓ ଆସନ୍ତା ବଡ଼ ପର୍ବପର୍ବାଣୀ ରଥଯାତ୍ରା ପାଇଁ ପୂର୍ବ ପ୍ରସ୍ତୁତି ନେବା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ଅଗ୍ରିମ ଯୋଜନା, ଫୋର୍ସ ବ୍ୟବସ୍ଥାପନା ଓ ଟ୍ରାଫିକ ନିୟନ୍ତ୍ରଣରେ ଶୃଙ୍ଖଳାବଦ୍ଧ ଭାବେ କାମ କରିବାକୁ କୁହାଯାଇଥିଲା।ଏହାସହ ଜରୁରୀ ସେବା ‘୧୧୨’କୁ ଶୀଘ୍ର ସେବା ଦେବା, କମ୍ୟୁନିଟି ପୋଲିସିଂକୁ ଆହୁରି ସକ୍ରିୟ କରିବା ଓ ପୋଲିସ-ଜନସାଧାରଣ ସମ୍ପର୍କକୁ ସୁଦୃଢ କରିବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କୁ ସମ୍ମାନପୂର୍ଣ୍ଣ ଓ ସହାନୁଭୂତିଶୀଳ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଜନସାଧାରଣଙ୍କ ବିଶ୍ୱାସ ହେଉଛି ପୋଲିସର ସବୁଠୁ ବଡ଼ ଶକ୍ତି ବୋଲି ଏସ୍ପି ଉଲ୍ଲେଖ କରିଥିଲେ। ପୋଲିସ କର୍ମଚାରୀମାନଙ୍କ କଳ୍ୟାଣ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କ ସୁବିଧା, ମନୋବଳ ବୃଦ୍ଧି ଓ ସେବାର ଉନ୍ନତି ପାଇଁ ପ୍ରୟାସ ଜାରି ରହିବ ବୋଲି ଜଣାଇଥିଲେ। ଶେଷରେ ଆରକ୍ଷୀ ଅଧୀକ୍ଷକ ସମସ୍ତ ଅଧିକାରୀଙ୍କୁ ଟିମ୍ୱର୍କ ମାଧ୍ୟମରେ କାମ କରି ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଆହୁରି ମଜବୁତ କରିବା ସହ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ସମାଜ ଗଠନ ପାଇଁ ସମୁହିକ ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ।
