ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ ଦିବସ ୨୦୨୬-୨୭
ଭଞ୍ଜନଗର, ୨୦/୦୪ : ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ, ଜିଲ୍ଲା ସ୍ତରୀୟ କୃଷକ ଦିବସ କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର , ବେଣାକୁନ୍ଦ। ଠାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିଜ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ସର୍ବପ୍ରଥମେ ମାଟିମାଙ୍କୁ ପୂଜାର୍ଚ୍ଚନା ସହ ହଳକରି ‘ଅଖିମୁଠି ଅନୁକୂଳ’ ଶୁଭାରମ୍ଭ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି କୃଷକମାନଙ୍କ ଚାଷ କାର୍ଯ୍ୟକୁ ଉତ୍ତମରୂପେ ଆଗକୁ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହି ଅବସର ରେ ‘ସିଏମ୍ କିଷାନ ସହାୟତା’ ଯୋଜନା ଅନ୍ତର୍ଗତ ଖରିଫ-୨୦୨୬ ନିମନ୍ତେ ସହାୟତା ରାଶି ଡି.ବି.ଟି ମଧ୍ୟମ ରେ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାର 241531 ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 48କୋଟି 30ଲକ୍ଷ 62 ହଜାର ଟଙ୍କା ହସ୍ତାନ୍ତର କରାଯାଇଛି। ଜିଲ୍ଲାର 22 ଟି ବ୍ଲକ୍ ର କୃଷକମାନେ ଏଥିରେ ସାମିଲ ଅଛନ୍ତି। ଏଥିମଧ୍ୟରୁ 235932 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 5599 ଜଣ ଭୂମିହୀନ କୃଷି ପରିବାର ପ୍ରତ୍ୟେକଙ୍କୁ 2000 ଟଙ୍କା ଲେଖାଏଁ ଡି.ବି.ଟି ମାଧ୍ୟମରେ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ, ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା , ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନିଳମାଧବ ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର, ସ୍ଥାନୀୟ ବିଡ଼ିଓ ,ତହସିଲଦାର ସହିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିଥିମାନେ କୃଷକମାନଙ୍କୁ ପ୍ରଶଂସା ସହ କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିନିଯୋଗ କରିବାକୁ ଆହ୍ୱାନ ଜାଣାଇଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଥିଲେ, “ଓଡ଼ିଶାର କୃଷକମାନେ ରାଜ୍ୟର ଅର୍ଥନୀତିର ମୁଖ୍ୟ ସ୍ତମ୍ଭ , ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ।” ଏହି ଅନୁଷ୍ଠାନ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ସହିତ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ବଢ଼ାଇଛି। ଜମିରେ ସାର ପ୍ରୟୋଗ କରିବା ଉଦ୍ଦେଶ୍ୟ ରେ ଏକ ସଚେତନ ରଥ ର ଶୁଭାରମ୍ଭ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଙ୍କ ଦ୍ଵାରା ହୋଇଥିଲା, ଏହା ବିଭିନ୍ନ ଗ୍ରାମାଞ୍ଚଳ ଭ୍ରମଣ କରି ଜମିରେ ସାର ପ୍ରୟୋଗ ଓ କୃଷକ ପଞ୍ଜି କରଣ ସଚେତନ କରିବ ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ଅଜୟ କୁମାର କର ଓ ସହାୟକ କୃଷି ଅଧିକାରୀ ଦିବ୍ୟା ହେନ୍ତା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା କୃଷି ଅଧିକାରୀ ବ୍ୟମୋକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗର ବ୍ଲକ କୃଷି ଅଧିକାରୀ ଶ୍ରୀ ସଂଗ୍ରାମ କୁମାର ସେନାପତି ଏବଂ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
