ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ
ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ l ଶେଷ ମାଇଲ ସଂଯୋଗରେ କମ୍ୟୁନିଟି ରେଡିଓ ହେଉଛି ଚାବିକାଠି : ଏଡିଜି ଶ୍ରୀ ଅଖିଳ କୁମାର ମିଶ୍ରଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଆଜି ସହର ଉପକଣ୍ଠରେ ଥିବା ରଙ୍ଗ ବଜାରରେ ଅବସ୍ଥିତ ଏକ କମ୍ୟୁନିଟି ରେଡିଓ ଷ୍ଟେସନ୍, ରେଡିଓ ଭୁବନେଶ୍ୱର (୮୯.୨ ଏଫଏମ୍) ପରିଦର୍ଶନ କରିଛନ୍ତି। ଷ୍ଟେସନ୍ ମୁଖ୍ୟ ଶ୍ରୀ ସୁବ୍ରତ ପତି ତାଙ୍କୁ ଷ୍ଟେସନର କାର୍ଯ୍ୟକାରିତା, ଏହାର କାର୍ଯ୍ୟକ୍ରମ ଏବଂ ପ୍ରସାର ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଗସ୍ତ ସମୟରେ, ଏଡିଜି ଗୋଷ୍ଠୀ ସମ୍ପର୍କ ପାଇଁ କମ୍ୟୁନିଟି ରେଡିଓ ଷ୍ଟେସନ ପକ୍ଷରୁ ଯେଉଁ ସବୁ ପ୍ରୟାସ କରାଯାଉଛି, ସେ ବିଷୟରେ ଅଧିକ ଜାଣିବା ଲାଗି ଦଳ ସହିତ ମଧ୍ୟ ଆଲୋଚନା କରିଥିଲେ।ନୀତି ପ୍ରଣୟନ ଏବଂ ନାଗରିକମାନଙ୍କ ନିକଟରେ ଏହା ପ୍ରଭାବଶାଳୀ ଢଙ୍ଗରେ ପହଞ୍ଚିବା ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବାରେ କମ୍ୟୁନିଟି ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ଏଡିଜି କହିଥିଲେ। ଶେଷ-ମାଇଲ ସଂଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥଲେ। ସେ କହିଥିଲେ ଯେ ଯୋଗାଯୋଗର ପ୍ରକୃତ ମୂଲ୍ୟ ସେତେବେଳେ ମିଳିଥାଏ, ଯେତେବେଳେ ଏହା ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ସ୍ପଷ୍ଟ ରୂପେ, ସୁଗମ ଭାବରେ ଏବଂ ସଂଯୋଗର ଭାବନା ସହିତ ପହଞ୍ଚିଥାଏ।କମ୍ୟୁନିଟି ରେଡିଓ କ୍ଷେତ୍ରରେ ଓଡ଼ିଶାର ବୃଦ୍ଧି ପାଉଥିବା ଉପସ୍ଥିତି ଉପରେ ଉଲ୍ଲେଖ କରି ଶ୍ରୀ ମିଶ୍ର କହିଥିଲେ, ତୃଣମୂଳ ସ୍ତରରେ ସରକାରୀ ଯୋଜନା ଏବଂ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରସାରଣ ପାଇଁ ଏପରି ପ୍ଲାଟଫର୍ମ ପ୍ରଭାବଶାଳୀ ମାଧ୍ୟମ ଭାବରେ କାର୍ଯ୍ୟ କରୁଛି। କମ୍ୟୁନିଟି ରେଡିଓ ସ୍ଥାନୀୟ ଭାଷା, ସାଂସ୍କୃତିକ ପ୍ରସଙ୍ଗ ଏବଂ ସମୁଦାୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରି ସଚେତନତା ଏବଂ ଜନଭାଗୀଦାରୀକୁ ଉଲ୍ଲେଖନୀୟ ଭାବରେ ମଧ୍ୟ ବୃଦ୍ଧି କରିଥାଏ।

ଯୋଗାଯୋଗ ପ୍ରକ୍ରିୟାରେ ବିଶ୍ୱାସ ଏବଂ ମତାମତର ଆବଶ୍ୟକତା ଉପରେ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ। ଉଲ୍ଲେଖ କରିଥିଲେ ଯେ କମ୍ୟୁନିଟି ରେଡିଓ ଦ୍ୱିପାକ୍ଷିକ ପାରସ୍ପରିକ ଭାବବିନିମୟକୁ ସହଜ କରିଥାଏ ଏବଂ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ସମସ୍ୟା ଏବଂ ଲୋକମାନଙ୍କର ଆବଶ୍ୟକତାକୁ ଭଲ ଭାବରେ ବୁଝିବାରେ ସକ୍ଷମ କରିଥାଏ। ଏହି ଅଂଶଗ୍ରହଣମୂଳକ ଆଭିମୁଖ୍ୟ ଶାସନକୁ ସୁଦୃଢ଼ କରିଥାଏ ଏବଂ ଅଧିକ ପ୍ରତିକ୍ରିୟାଶୀଳ ଏବଂ ଅନ୍ତର୍ଭୁକ୍ତ ନୀତି କାର୍ଯ୍ୟାନ୍ୱୟନକୁ ସମର୍ଥନ କରିଥାଏ।ଏହି ଗସ୍ତ ସମାବେଶୀ ଯୋଗାଯୋଗ ଏବଂ ଜନସମ୍ପର୍କ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ କମ୍ୟୁନିଟି ରେଡିଓକୁ ବ୍ୟବହାର କରିବାର ଗୁରୁତ୍ୱକୁ ପରିଭାଷିତ କରିଛି। ଏହା ସରକାରୀ ପଦକ୍ଷେପଗୁଡ଼ିକୁ ସମାଜର ପ୍ରତ୍ୟେକ ବର୍ଗ ନିକଟରେ ପ୍ରଭାବଶାଳୀ ଭାବରେ ପହଞ୍ଚାଇବା ସୁନିଶ୍ଚିତ କରିବାର ବ୍ୟାପକ ଉଦ୍ଦେଶ୍ୟକୁ ମଧ୍ୟ ସମର୍ଥନ ଦେଇଥାଏ।
