ନିର୍ଦ୍ଦୟ ବୈଶାଖ

  ନିର୍ଦ୍ଦୟ ବୈଶାଖ

  ✍🏼କବିରତ୍ନ ନୂତନ କୁମାର ବେହେରା

ଆସିଥିଲା ଋତୁରାଜ ବସନ୍ତ…ହସି ହସାଇବାକୁ
ସାଥୀରେ ଆଣିଥିଲା ଫଗୁଣ ଓ ଚୈତ୍ରକୁ
ବହିଲା ମଧୁ ମଳୟ ଆମ୍ଵ ବଉଳେ ଗାଇଲା ପିକ
ଫଗୁଣ ଫୁଟାଇଲା ନାନା ରଙ୍ଗର ଫୁଲ ଦେଇ ମହକ 
ଉଡ଼ି ବୁଲି ଫୁଲେ ଫୁଲେ ଖେଳିଲା ମନ ପ୍ରଜାପତି
ଚାନ୍ଦ ବି ଢାଳୁଥିଲା ଚାନ୍ଦିନୀ ସାରା ରାତି
ଇଚ୍ଛାର ମଧୁପ ଗୁଞ୍ଜରି ସଞ୍ଚି ରଖିଲା ଆଶାର ମହୁ
ଆଖି ସାମ୍ନାରେ ନାଚୁଥିଲା ଯେ ସବୁଜ ସମ୍ଭାବନା ସବୁ
ସପନ ସଜାଉଥିଲା କନିଆଁ ପାଇଁ ସବାରୀ
ନବ ଲଳନାର ତନୁମନେ ଲିପ୍ସା ଥିଲା ଅସୁମାରି
ଝିଅ ଯିବ ଶାଶୁଘର ହୋଇ ନୂଆ ବୋହୂ
ଆରମ୍ଭିବ ନୂଆ ଜୀବନ ଘୁଞ୍ଚାଇ ନିଃସଙ୍ଗତାର ଦାଉ
ନୂଆ ଉଦ୍ଦୀପନା ନୂଆ ଭାବନାର ଶିହରଣ
ଓଡ଼ିଆ ନବବର୍ଷ ହୋଇ ଆସିଲ ତୁମେ ହେଇ ଆହ୍ଵାନ
ଝୁମିଲ ଝୁମାଇଲ ପଣା ପିଆଇ ପଣା ସଂକ୍ରାନ୍ତିରେ
ଶୁଭ ମନାସି ବସୁନ୍ଧରା ଝୁଲା ହେଲା ଘର ଆଗରେ
ମା’ ବୃନ୍ଦାବତୀଙ୍କର ସୁସଜ୍ଜିତ ଚଉରା ଉପରେ
ଧର୍ମ ମାସ ବୋଲି ପୂଜା କଲୁ ଶୁଦ୍ଧ ମନେ ଶ୍ରଦ୍ଧାରେ
ତୁମେ ଆସିଲ ହେ ବୈଶାଖ ଦେବାକୁ ସୁଖ
କାହିଁକି …ତୁମେ ହେଉଛ ଏତେ ନିର୍ଦ୍ଦୟ ବୈଶାଖ
ଇପ୍ସିତ ସୁଖ ବଦଳରେ ଦେଉଛ ଖାଲି ଦୁଃଖ
କଷ୍ଟକର ଯନ୍ତ୍ରଣାଦାୟକ ଜୀବନର ଭାଗ୍ୟ ଲେଖ
ଧରା ପୃଷ୍ଠ ପାଇଁ କେମିତି ହେଉଛ ବିମୁଖ
ସୁସ୍ଥରେ ଜୀବନ ଧରି ରହିବାକୁ କର ସମସ୍ତଙ୍କୁ ଦକ୍ଷ
ଦଗ୍ଧିଭୂତ ହୁଏ ଫୁଲବନ ଜଳାଉଛ ଜ୍ଵଳନର ବହ୍ନି
ଧରିତ୍ରୀ ଜଳେ ନିର୍ବାପିତ ହୁଏ ନାହିଁ ତାର ଅଗ୍ନି
ତାପମାନ ଯନ୍ତ୍ରରେ ପାରଦ ଛୁଇଁଯାଏ ଶୀର୍ଷ
ଉପାୟ କିଛି ମିଳେ ନାହିଁ କରି ବିଚାର ବିମର୍ଷ
ଦେହ ସିଝେ କରେଇର ପରିବା ପରି
ମନର ଆକାଂକ୍ଷା ଅଭିଳାଷ ଯାଏ ମରି ମରି
ହୃଦୟରେ ଥିଲା କେତେ ଆଶା ଭରସା ବିଶ୍ଵାସ
ଯାଏ ସବୁ… ଆତଙ୍କରେ ବନ୍ଦୀ ହୋଇ ରହେ ମଣିଷ 
ରୁଦ୍ଧ କଠୋରୀରେ ଝାଳେ ଭିଜି ହୁଏ ହନ୍ତସନ୍ତ
ଅଂଶୁଘାତରେ ଜୀବନର ହେବ କିବା ଅନ୍ତ
ପରିଚୟ ଦେଉଛ କିଆଁ ହୋଇ ନିର୍ଦ୍ଦୟ ବୈଶାଖ
ଆସିଛ ପରା ବନ୍ଧୁ ହୋଇ ସୃଷ୍ଟିକୁ ସୁରକ୍ଷିତ ରଖ
ପୂରଣ କରାଅ ଜୀବନର ସଂକଳ୍ପିତ ଲକ୍ଷ୍ୟ
କରୁଣାର ଅମୃତ ବର୍ଷାଇବାକୁ ଚିନ୍ତୁ ତୁମର ବକ୍ଷ
ସୃଷ୍ଟିର ସ୍ଥିତିକୁ ରଖ ତୁମେ… ହୁଅନାହିଁ ରୁକ୍ଷ
ତୁମ ପ୍ରଭାବରେ ଜନସାଧାରଣ ହୁଅନ୍ତି ଅଥୟ
ମନେ ଆଣି କୋପ ଦେଖାଅ ନାହିଁ କ୍ରୂର ପ୍ରତାପ
ପରିବେଶ ନଷ୍ଟ ହୁଏ ଜୀବନେ ଭୋଗୁଁ ଖାଲି ସନ୍ତାପ
ଶାନ୍ତ ହୋଇ ବିନମ୍ରତାର ଗୁଣେ ହୁଅ ମହନୀୟ 
କରୁଛି ଅନୁରୋଧ ସାହା ହୁଅ କୋମଳ କରି ହୃଦୟ
ପ୍ରକୃତି ସେବାରେ ରୁହ ନ ହୁଅ ଆଉ ବିମୁଖ
ମଧୁମୟ କର ସଂସାରକୁ ହୁଅନା ନିର୍ଦ୍ଦୟ ବୈଶାଖ…।

   ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *