ଭଦ୍ରକରେ ବିଶ୍ବ ପ୍ପ୍ରାଣୀ ଚିକିତ୍ସା ଦିବସ ପାଳିତ

ଭଦ୍ରକ ୨୫ /୦୪ – ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ୨୦୨୬ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେଇ ଯାଇଛି |ଏହାକୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ ଉଦ୍ଘାଟନ କରି କିପରି ଜିଲ୍ଲାକୁ ସମଗ୍ର ଭରତରେ ପ୍ରାଣୀ ପାଳନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବରେ ପରିଗଣିତ କରିବା ସେଥିପାଇଁ ସମସ୍ତ ପ୍ରାଣୀ ଚିକିତ୍ସକ ମାନଙ୍କୁ ଏକାଠି ହୋଇ ନିରନ୍ତର ଚେଷ୍ଟା କରିବା ପାଇଁ ଆହ୍ବାନ ଦେଇଥିଲେ | ସେହିପରି ଭଦ୍ରକ ଜିଲ୍ଲା ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟ ଭଦ୍ରକ ଜିଲ୍ଲା ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ କ୍ଷେତ୍ରରେ ଏ ବର୍ଷ ୧୮ ତମ ସ୍ଥାନରୁ ଉନ୍ନୀତ ହୋଇ ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନ ହାସଲ କରିଥିବାରୁ ସମସ୍ତ ପ୍ରାଣୀ ପାଳନ ବିଭାଗର କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |ସେ ମଧ୍ୟ ଏହି ଦିବସ ଅବସରରେ ଆଗାମୀ ଆର୍ଥିକ ବର୍ଷରେ କିପରି ଭଦ୍ରକ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଜିଲ୍ଲାରେ ପରିଣତ କରିହେବ ସେଥିପାଇଁ ସମସ୍ତ ପ୍ରାଣୀ ଚିକିତ୍ସକ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କୁ ନିର୍ଦେଶ ଦେଇଥିଲେ |ଜିଲ୍ଲାପାଳ ଭଦ୍ରକ ଜିଲ୍ଲାର ପ୍ରାଣୀ ପାଳନ ବିଭାଗର କାର୍ଯ୍ୟକାରିତା ଉପରେ ସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରାଣୀ ଚିକିତ୍ସକମାନେ କିପରି ସମାଜ ପାଇଁ ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ନିରାପତ୍ତାର ଅଭିଭାବକ ଭାବେ କାର୍ଯ୍ୟ କରୁଛନ୍ତି, ସେ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ, ପ୍ରାଣୀ ଚିକିତ୍ସା ବିଭାଗ ଡା. ସଞ୍ଜୟ କୁମାର ପଣ୍ଡା ପ୍ରାଣୀ ଚିକିତ୍ସକମାନଙ୍କର ସମାଜ ଗଠନରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମତପ୍ରକାଶ କରିଥିଲେ।ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ହୃଷୀକେଶ ବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ, ସମସ୍ତଙ୍କ ସହଯୋଗ ଓ କାର୍ଯ୍ୟଦକ୍ଷତା ବଳରେ ଭଦ୍ରକ ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହୋଇପାରିଛି। ସୁରକ୍ଷିତ ଖାଦ୍ୟ ଓ ସୁରକ୍ଷିତ ମାନବ ସମାଜ ଗଠନରେ ପ୍ରାଣୀ ଚିକିତ୍ସକମାନଙ୍କ ଅବଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ଏହି ଦିବସରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ ଓ ୭୦ ଜଣ ଅଗ୍ରଣୀ ଚାଷୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ୪ ଜଣ ଅଗ୍ରଣୀ ଚାଷୀଙ୍କୁ ଉନ୍ନତ ଚାଷ ପାଇଁ ପୁରସ୍କୃତ କରାଯାଇଥିଲା।ତିହିଡି ବ୍ଲକ ପ୍ରାଣୀ ଚିକିତ୍ସକ ଡା. ନିରଞ୍ଜନ ଜେନା ସଭାକୁ ପରିଚାଳନା କରିଥିଲେ। ଏସ୍‌ଡିଭିଓ ଡା. ସୁନୀଲ କୁମାର ଭୂୟାଁ ଓ ଭଦ୍ରକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ ଡା. ଭକ୍ତହରି ମଲ୍ଲିକ ଚାଷୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଡା. ପ୍ରଭୁକଲ୍ୟାଣ ପାଣି, ଡା. ଶୁଭମ କୁମାର ସାହୁ ଓ ଡା. ସତ୍ୟଜିତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଜିଲ୍ଲାର ସମସ୍ତ ପ୍ରାଣୀଧନ ନିରୀକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ସହଯୋଗ କରିଥିଲେ।ପରିଶେଷରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ତରୁଣ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *