ଅପରେସନ୍ “ଚକ୍ର”
*ଅପରେସନ୍ “ଚକ୍ର” ଅନ୍ତର୍ଗତ ପୁରୀ ପୋଲିସ ଦ୍ୱାରା ୫ ଜଣ ପୁନରାବୃତ୍ତି ଅପରାଧୀଙ୍କ ବିରୋଧରେ ୧୨୯ BNSS ଅନୁସାରେ ବାଉଣ୍ଡ ଡାଉନ୍ କାର୍ଯ୍ୟାନୁଷ୍ଠାନ*ଜିଲ୍ଲାରେ ଆଇନ-ଶୃଙ୍ଖଳା ରକ୍ଷା, ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ ଏବଂ ପୁନରାବୃତ୍ତି ଅପରାଧୀଙ୍କୁ କଡା ନଜରଦାରୀ ଅଧୀନରେ ରଖିବା ପାଇଁ ପୁରୀ ପୋଲିସ ପକ୍ଷରୁ “ଅପରେସନ୍ ଚକ୍ର” ନାମରେ ବିଶେଷ ପ୍ରତିରୋଧକ ଅଭିଯାନ ଜାରି ରହିଛି। ଏହି ଅଭିଯାନ ଅନ୍ତର୍ଗତ ଆଜି ୫ ଜଣ ପୁନରାବୃତ୍ତି ଅପରାଧୀଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୨୯ ଅନୁସାରେ ବାଉଣ୍ଡ ଡାଉନ୍ ଆଦେଶ ମଞ୍ଜୁର କରାଯାଇଛି।ପୁରୀ ଏସ୍.ପି. ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାକୁ ପୁନରାବୃତ୍ତି ଅପରାଧୀ ଓ ଶାନ୍ତି-ଶୃଙ୍ଖଳା ପାଇଁ ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରାକ୍-ସତର୍କତାମୂଳକ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁଯାୟୀ ଆଜି ସୁକାନ୍ତି ପଣ୍ଡା, ଦୀପୁ ପଣ୍ଡା, ନିରଞ୍ଜନ ପରିଡା, ଅପନା ବେହେରା ଓ ଭୋଳ ବାରିକଙ୍କ ବିରୋଧରେ ୧୨୯ BNSS ଅନୁସାରେ ବାଉଣ୍ଡ ଡାଉନ୍ ଆଦେଶ ଜାରି କରାଯାଇଛି। ଉକ୍ତ ଅଭିଯୁକ୍ତମାନେ ପୂର୍ବରୁ ପୁରୀ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମାଡ଼ପିଟି, ଧମକ, ଅସାମାଜିକ କାର୍ଯ୍ୟକଳାପ ଓ ଅନ୍ୟାନ୍ୟ ଅପରାଧମୂଳକ ଘଟଣାରେ ଜଡିତ ଥିବା ନଜରକୁ ଆସିଥିଲା। ଆଗାମୀ ଦିନରେ ସାଧାରଣ ଶାନ୍ତି-ଶୃଙ୍ଖଳା ଭଙ୍ଗ ହେବାକୁ ରୋକିବା ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ପ୍ରତିରୋଧକ ପଦକ୍ଷେପ ଗ୍ରହଣ କରାଯାଇଛି। ମ୍ୟାଜିଷ୍ଟ୍ରେଟଙ୍କ ଆଦେଶ ଅନୁଯାୟୀ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୫୦,୦୦୦/- ଟଙ୍କାର ସୁରକ୍ଷା ଜମା (Security Deposit) ଦେବାକୁ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଆଦେଶ ପାଳନ ନ କରିଲେ ତାଙ୍କ ବିରୋଧରେ ଅଧିକ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚଳିତ ବର୍ଷରେ ଏପର୍ଯ୍ୟନ୍ତ ମୋଟ ୪୫ ଜଣ ପୁନରାବୃତ୍ତି ଅପରାଧୀଙ୍କ ବିରୋଧରେ ୧୨୯ BNSS ଅନୁସାରେ ବାଉଣ୍ଡ ଡାଉନ୍ ଆଦେଶ ମଞ୍ଜୁର ହୋଇଛି। ଏହା ମାଧ୍ୟମରେ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜରଦାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାବୋଧ ସୃଷ୍ଟି କରିବାରେ ସକାରାତ୍ମକ ପରିଣାମ ଦେଖାଯାଇଛି।ପୁରୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ଯେଉଁମାନେ ଆଇନକୁ ଅମାନ୍ୟ କରି ଜିଲ୍ଲାରେ ଶାନ୍ତି-ଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରିବେ, ସେମାନଙ୍କ ବିରୋଧରେ ଏଭଳି ପ୍ରତିରୋଧକ ଏବଂ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ବା ଅସାମାଜିକ ତତ୍ତ୍ୱ ସମ୍ବନ୍ଧରେ ତୁରନ୍ତ ପୋଲିସକୁ ସୂଚନା ଦେଇ ସହଯୋଗ କରନ୍ତୁ। ପୋଲିସ ଓ ଜନସାଧାରଣଙ୍କ ସମନ୍ୱୟରେ ଜିଲ୍ଲାରେ ଶାନ୍ତି ଓ ସୁରକ୍ଷା ଅବ୍ୟାହତ ରହିବ।
